ବିଶ୍ବାସ ନୀଡରେ ଭରସା ପକ୍ଷୀ
ବିଶ୍ବାସ ନୀଡରେ ଭରସା ପକ୍ଷୀ
ଅଙ୍କାବଙ୍କା ହୋଇ ବହିଯାଏ ନଈ
ଏ ଜୀବନ ଆଶା ତରୀ
ସବୁଜ ସପନ ଆନନ୍ଦେ ମଗନ
କୂଳ ପାଇଁ ହୁଏ ଘାରି ।
ଭାସି ଭାସି ଯାଏ ଜଳରେ ନଉକା
ସମୟର ସୁଅ କାଟି
ଚଳାଏ ନାବିକ ନଉକା ସଂସାର
ଅଭିଯାତ୍ରୀ ଥାଏ ବସି ।
ନ ଆସୁ ଜୀବନେ ନଈର ମଝିରେ
ଅଦିନିଆ ଝଡ଼ଝଞ୍ଜା
ନ ପଡୁ ବିପଦ ପାଞ୍ଚଇ ଜୀବନ
ଯତ୍ନେ ଏଡି ଘୋର ବାଧା ।
ବିତିଯାଏ କ୍ରମେ ଦିନ ମାସ ବର୍ଷ
ଶିଖିବା ଜୀବନ କଳା
ଟେକିବା ମୁଣ୍ଡକୁ ଜୀବନ ସଂଗ୍ରାମେ
ବାନ୍ଧି ଭବ ଜଳେ ଭେଳା ।
ବିଶ୍ବାସ ନୀଡରେ ଭରସାର ପକ୍ଷୀ
ବସା ବାନ୍ଧି ରହିଥିଲେ
ଦୂର ହୁଏ ହେଳେ ଦୁଃଖ ଓ ଦୁର୍ଦ୍ଦିନ
ସୁଖ ଆଶା ଉଙ୍କି ମାରେ ।
