ବିରାଜିତ ହୁଏ ବସନ୍ତ ରାଜ
ବିରାଜିତ ହୁଏ ବସନ୍ତ ରାଜ
ବସନ୍ତ ସମୟ ବଡ ରସ ମୟ ଧରା ହୁଅଇ ଉଲ୍ଲସିତ,
ମନ୍ଦ ମନ୍ଦ ବହେ ଗନ୍ଧବହ ରସା ମଳୟ ଅନୀଳ ପୁରିତ;
ସୁଜନେ, ଲତା ଗହଳ ରେ କଳାପ,
ପୁଚ୍ଛ ଟେକି ବନ ବିତାନେ ଆନନ୍ଦେ ନୃତ୍ୟ ରତ ଆସେ ବସନ୍ତ ।।
ପଲ୍ଲବିତ ଚୁତ ପତ୍ର କୁଞ୍ଜ ତଳେ କୋକିଳ ପଞ୍ଚମ ଆଳାପ,
ମଧୁ ସଉରଭ ବକୁଳ ରୁ ମଧୁ ରସ ପିଇ ଭୃଙ୍ଗେ ଆନନ୍ଦ:
ସୁଜନେ, ତା ଗୁଣୁଗୁଣୁ ଗୁଞ୍ଜରଣ,
ଗୁଞ୍ଜରିତ ହୁଏ ସତେକି ଯେମିତି ବୀଣାପାଣି ବୀଣା ବାଦନ ।।
ଚମ୍ପା,ନାଗେଶ୍ଵର,ଚାମେଲୀ ଟଗର ଜାଇ,ଯୁଇ,ହେନା ଅଶୋକ,
ପଳାଶ,ଶାଳ୍ମଳୀ,କୃଷ୍ଣଚୂଡା ରଙ୍ଗେ ନବ ବସନ୍ତର ସୌନ୍ଦର୍ଯ୍ୟ:
ସୁଜନେ, ଅଚଳା ଚମକି ଉଠୁଛି,
ରୁତୁ ରାଜ ଆସେ କୁସୁମ ରଥରେ ଅମୀୟ ଚିତ୍ରେ ବିରାଜୁଛି ।।
ସବୁଜ ବରଣା ପ୍ରକୃତି ଦେହରେ ନାନା ଜାତି ଫୁଲ ଶୋଭନ,
ଚଇତାଳି ଚିତ୍ତ ଚୋରାଇ ନେବରେ ଆସିଛି ଫୁଲେଇ ଫଗୁଣ;
ସୁଜନେ, ବିମାନରେ ରାଧା ଗୋବିନ୍ଦ,
ବସନ୍ତ ବିଜୟ କରନ୍ତି ଅବିର ଖେଳକୁ ଚାଚେରୀ ନୈବେଦ୍ୟ ।।
ଫଳ ଫୁଲ ଭରା ସୌନ୍ଦର୍ଯ୍ୟ ପସରା ମେଦିନୀ ମଣ୍ଡାଇ ବସନ୍ତ,
ହୋଇ ଉପଗତ ରତିପତି ସଙ୍ଗେ ମନକୁ କରେ ଆଲୋଡିତ;
ସୁଜନେ, ଆନମନା ପ୍ରାଣି ଜଗତ,
ପ୍ରେମ ପ୍ରଣୟରେ ମାତିଛି ପ୍ରକୃତି ଦେହେ ରୁତୁ ରାଜ ବସନ୍ତ ।।
ଫୁଟିଲାଣି ସରୋରୁହ କୁମୁଦିନୀ ପାଇ ସତେ ନବ ଜୀବନ,
ଶୀତ କାକର ପତନେ ଜଳିଲା ଯଥା ଶିବ କୋପେ ମଦନ;
ସୁଜନେ, ବସନ୍ତେ “ରଜତ ଚାନ୍ଦିନୀ,
ପାଇ” କଇଁ ଫୁଟେ ଦିବସେ ସୂରୁଯ କୋମଳ ସ୍ପର୍ଶେ କମଳିନୀ ।।
ବନେ ବନଚର ଶ୍ଵାପଦ ସକଳ ବିହଙ୍ଗମ କୁଳ ଛନକା,
ଦେଇଛି ବସନ୍ତ କରି ବସିଭୁତ ଫୁଟିଛି ବକୁଳ ମାଳିକା;
ସୁଜନେ, ବାସନ୍ତି ବାସରେ ପ୍ରଲୁବ୍ଧ,
ହୋଇ ପ୍ରେମ ମୟ କରିଛି ଜଗତ ପ୍ରଣୟ ରଙ୍ଗରେ ବସନ୍ତ ।।
ବହିଯାଉଅଛି କନ୍ଦର କୋଳରୁ ଝରଝର ଝରି ନିର୍ଝର,
ସ୍ଵତ୍ସ ଶୁଭ୍ର ଜଳ ନିର୍ମଳ ମୁକୁର କୁଳୁକୁଳୁ ଗୀତେ ଚଞ୍ଚଳ;
ସୁଜନେ, ବନଫୁଲ ପତ୍ରେ ଶୋଭିତ,
ତରଙ୍ଗ ମାଳାରେ ନାଚି ଯାଉଅଛି ମନ ମୋହିନିଏ ଶରିତ ।।
ବସନ୍ତ ବିଳାସେ ଉତ୍କଳ କମଳା ନୀଳାମ୍ଵୁ ଚିଲିକା ହ୍ରଦରେ,
ମରାଳ ମାଳିନୀ ଶୋଭା ସୁହାସିନୀ କମଳା ବିଳାସ କକ୍ଷରେ;
ସୁନ୍ଦର, ଚୃପ୍ତି ର ନାହିଁ ଅବକାଶ,
ଯେତେ ଦେଖୁଥିଲେ ମନ ଛାଡେ ନାହିଁ ଆହାକି ସୁନ୍ଦର ସୁବେଶ ।।
କ୍ରମେ ଶୀତ ଅନ୍ତେ ବସନ୍ତ ବିଳସେ ବାସନ୍ତୀ ରାତିର ଚାନ୍ଦିନୀ,
ଘେନି ସରସ୍ଵତୀ, ଆସନ୍ତି ବାସନ୍ତୀ ଅନେକ ପରବ ପର୍ବାଣୀ;
ସୁଜନେ, ସୁନାରୀ ଫୁଲର ବଣରେ,
ହଳଦୀ ବସନ୍ତ ଲୁଚି ଲୁଚିଯାଏ ନିଦାଘ ଆସିବା ବେଳରେ ।।
ସୂର୍ଯ୍ୟମୁଖୀ ଢଳିଢଳି ହସେ ଦେଖି ସୂର୍ଯ୍ୟ ରଶ୍ମି ଗତି ପଥକୁ,
କଜଳପାତୀ ଦମ୍ପତି ବିଚରନ୍ତି ଦେଖି ପ୍ରଜାପତି ଦଳଙ୍କୁ;
ସୁଜନେ, ନାନା ରଙ୍ଗ ରୂପ ଛଟକ,
ସୁବର୍ଣ୍ଣ ପସରା ବିପଣୀ ଲାଗିଛି ଦେଖି ଆଖି ହୁଏ ଅଟକ ।।
ନିଦାଘ ପୂର୍ବରୁ ଅନେକ ସୁଖଦ ମୁହୁର୍ତ୍ତ ଦେଇଛି ବସନ୍ତ,
ଅଭୁଲା ସେ ସ୍ମୃତି ବରଷକେ ଥରେ ରୁତୁ ରାଜ କରେ ଉନ୍ମତ;
ସୁଜନେ, ପ୍ରଫୁଲ୍ଲ ଲେଖଇ କବିତା,
ନବ ପଲ୍ବବ ରେ କୁସୁମ ମାଳିକା ନାଇ କି ପ୍ରକୃତି ଶୋଭିତା ।।