ବିନ୍ଦୁ
ବିନ୍ଦୁ
ବିନ୍ଦୁ ବିନ୍ଦୁ ଝରି ବରଷାର ଧାର
ପାଲଟଇ ଦିନେ ସିନ୍ଧୁ,
ପାହାଡ଼ ପର୍ବତ ଦେହରେ ଭରିଛି
କେତେ ରେଣୁ କଣା ବିନ୍ଦୁ l
କାକର ର ବିନ୍ଦୁ ଶୀତସକାଳରେ
ଘାସ ପତ୍ରେ ପଡେ ଝରି,
ସୂର୍ଯ୍ୟ କିରଣରେ ଝଲମଲ କରେ
ବିନ୍ଦୁ ବିନ୍ଦୁ ମୋତି ପରି l
ଵିନ୍ଦୁରୁ ଲେଖାର ଆରମ୍ଭ ହୁଅଇ
ବିନ୍ଦୁ ରୁସକଳ ଚିତ୍ର,
ଯେତେ ଜ୍ୟାମିତିକ ରେଖା କୋଣ କ୍ଷେତ୍ର
ସବୁମୂଳେ ବିନ୍ଦୁ ସ୍ଥିତ l
ସଧବା ନାରୀର ମଥାର ସିନ୍ଦୂର
ନାଲି ବିନ୍ଦୁ ସେତ ରଚେ,
ବିନ୍ଦୁ ବିନ୍ଦୁ ରକ୍ତ ଦେହେପ୍ରବାହିତ
ତା ବିନା କି ପ୍ରାଣ ବଞ୍ଚେ l
ବିନ୍ଦୁ ବିନ୍ଦୁ ମଧୁ ସଞ୍ଚେ ମଧୁକୀଟ
କେତେପୁଷ୍ପରୁ ସେ ନେଇ,
ଆମ୍ର ବଉଳରୁ ବିନ୍ଦୁ ବିନ୍ଦୁ ମଧୁ
ବସନ୍ତରେ ଝରୁଥାଇ l
ଅମୃତ କଲସେ ବିଷ ବିନ୍ଦୁ ମିଶି
ନାଶ କରିଥାଏ ପ୍ରାଣ,
ଦୁଗ୍ଧରେ ବୁନ୍ଦାଏ ଖଟା ରସ ମିଶି
କରେ ନାଶ ତାର ଗୁଣ l
ମଥାରେ ଚନ୍ଦନ ବିନ୍ଦୁ ଲଗାଇଲେ
ଭକ୍ତି ଭାବ ମନେ ଭରେ,
ବୁନ୍ଦାଏ ତୁଳସୀ ଜଳ ଲୋଡ଼ାହୁଏ
ଶେଷ କାଳେ ଜୀବନରେ l
ପ୍ରଭୁଙ୍କ କରୁଣା ବିନ୍ଦୁ ବିନ୍ଦୁ ଝରେ
ଭକ୍ତର ମଥାର ପରେ,
ସେଇ ଆଶିଷରୁ ବୁନ୍ଦାଏ ପାଇଲେ
ମାନବ ଜୀବନେ ତରେ l।
