ବିଜୁଳି
ବିଜୁଳି
ଅଜବ ଏ ଧରମ ରାଇଜ
ଜଙ୍ଗଲ ସବୁ ପଦା ହୋଇ ମାଡ଼ି ଚାଲେ
ଜନପଦ ମଣିଷ ମନକୁ,
ବାଘ ସି°ହ ଅଜଗର ତୁଲ୍ୟ ଭୟଙ୍କର
ଅସଭ୍ୟ ପ୍ରକୃତି
ହେଟା ରକ୍ଷୀ ସେବାକାରୀ ଶ୍ୱାନ
ବ୍ୟାପାରୀଏ କୃଷ୍ଣସାର ଗାଈ ଛେଳି
ଚାଷୀ ଓ ମୂଲିଆ,
ଧନ ମାନ ପ୍ରତିଷ୍ଠାର ହସ୍ତୀ ଚଢି
ଭାଷଣରେ ତୁଚ୍ଛାଟାରେ ରାତାରାତି
ହିମାଳୟ ତାଢିପାରେ ସପନ ବଣିକ ।
ପରଜୀବୀ ସ୍ୱର୍ଗ ଏଠି ଦୁରାଚାରୀ ମର୍ଯ୍ୟାଦା ପୁରୁଷ
ଗ୍ରାସି ଯାଏ ମେଧାକୁ ମଣ୍ଡଳ
ହାତଛନ୍ଦି ବସଇ ବେକାର,
ଚନ୍ଦ୍ର ସୂର୍ଯ୍ୟ ଦିଶେ ଅନୁଜ୍ଜ୍ୱଳ
କଳା ମୋଟା ଚଷମା ଆଖିରେ,
ପୀଡିତାର ଆର୍ତ୍ତନାଦ ବିକଳ କ୍ରନ୍ଦନ
ଏଠି କେହି ଶୁଣିପାରେ ନାହିଁ ।
କୁହୁଳୁଛି ଅନ୍ଧକାର ମାୟାର କୁହେଳୀ
ଗରଜୁଛି ଆକାଶରେ ମେଘ ଓ ବିଜୁଳି
ସାଧାରଣ ଚାହିଁ ଅଛି ନିର୍ନିମେଷ ମହାଶୂନ୍ୟେ
ସେ ପକ୍ଷୀ ଚାତକ,
ପାହିବ ସତେ କି ଅବା କାଳରାତ୍ରୀ
ଉଦେ ହେବେ ପୂର୍ବାକାଶେ ସୁନେଲି ଅରୁଣ,
ଦେଖିବ ନୟନ ମେଲି ସିଏ ମୁକ୍ତାକାଶ
ପରଶିବ ସ୍ୱଚ୍ଛ ସମୀରଣ
ସତ୍ୟ ଶିବ ସୁନ୍ଦରର ଉତ୍ତରଣ ପାଇଁ
ଏ ପ୍ରକୃତି ଉର୍ବରିବ ସଞ୍ଚରିବ ସ୍ନେହ ପ୍ରେମ
ଜୀବନର ଉଷ୍ଣ ଆବେଦନ ।