ଭୁଲିବିନି କେବେ
ଭୁଲିବିନି କେବେ
ମେଘ ଓଢଣାରେ ଲାଜ ସରସର
ଗାଆଁ ମୋ ଦିଶେ ସୁନ୍ଦର
ପହିଲି ଆଷାଢେ ଲାଗେ ସୁଶୀତଳ
ବର୍ଷା ରିମଝିମ ସ୍ବର ।
ଦେଖି କଳାମେଘ ବନ ଉପବନେ
ପୁଚ୍ଛକୁ ଟେକି ମୟୂର
ନାଚଇ ଉଲ୍ଲାସେ ମନରେ ହରଷ
ପ୍ରକୃତି ଶୋଭା ଭଣ୍ଡାର ।
ପାଚଇ ପଣସ ଜାତି ଜାତି ଆମ୍ବ
ସୁଆଦିଆ ବଡ ମିଠା
ବାସି ଉଠେ ମଣ୍ଡା ଆରିସା କାକରା
ସୁମଧୁର ପୋଡ଼ପିଠା ।
ଚାଲେ ହଲିଝୁଲି ଲାଲ ଟହଟହ
ଟିକିଲି ସାଧବ ବୋହୁ
ବାସେ ଭୁରୁ ଭୁରୁ ମାଟିର ସୁଗନ୍ଧ
ଲାଗେ ନୂଆ ନୂଆ ସବୁ ।
ବରଷକେ ଥରେ ରଜ ସଜବାଜ
ନିଆରା ମଜା ମଉଜ
ଖସେ ଖୁସି ଚାନ୍ଦ ମୋ ଗାଁଆଁ ମାଟିରେ
ପଟାଦୋଳି ହୁଏ ସଜ ।
ଭୂମିରେ ପାଦକୁ ନ ଥୋଇ କୁମାରୀ
ଖେଳିଥାନ୍ତି ରଜଦୋଳି
ମେଳି ହୋଇ ପିଲା ଖେଳନ୍ତି କବାଡି
ତାସପଶା ବୋହୁଚୋରି ।
ସୁବେଶେ ସଭିଏଁ ମନ ଆନନ୍ଦରେ
ଖାଇଥାନ୍ତି ଖିଲିପାନ
ନୃତ୍ଯ ସଙ୍ଗୀତର ଚାଲେ ସମାରୋହ
ରଜପର୍ବ ତିନିଦିନ ।
ରଜ ଅବସର କୃଷକ ମନରେ
ଭରିିଦିଏ ନୂଆ ସ୍ଫୃର୍ତ୍ତି
ଉତ୍ସାହ ଆଗ୍ରହେ ହୁଏ ଚାଷବାସ
ବେଉଷଣ ସୁପ୍ରସ୍ତୁତି ।
ଧନ୍ଯ ରଜପର୍ବ ଉତ୍କଳ ସଂସ୍କୃତି
ମହକ ଅତୁଳନୀୟ
ଭୁଲିବିନି କେବେ ଚନ୍ଦନ ଚର୍ଚ୍ଚିତ
ଗାଆଁ ଭିଜାମାଟି ମୋହ ।
