ଭୋକସହ ମୁହାଁମୁହିଁ
ଭୋକସହ ମୁହାଁମୁହିଁ
ଖାଇବାକୁ ଘରେ ନାହିଁକିଛି ବୋଲି
ମନ କରନାହିଁ ଉଣା
ଖଟି ଖଟି ଯାକୁ ମଣିଷ କରିଛୁ
ସେ ପରା ତୋ ପୁଅ କୁନା I
ଜାଣିନୁ କି ସିଏ ବଡ ଅଫିସର
ରହୁଛି ବଡ ସହରେ
ପୁଅ ବୋହୂ ଦୁହେଁ ଚାକିରି କରନ୍ତି
ରହୁଛନ୍ତି କୋଠାଘରେ I
ନିତି ମାଛ ମାଂସ ନହେଲେ ତାଙ୍କର
ପାଟିକୁ ଯାଏନା ହାତ
ଏଠି ସିନା ଆମେ ଆଠଦିନ ହେଲା
ଦେଖିନେ ମୁଠାଏ ଭାତ I
ବଳ ନାହିଁ ଆଉ ଖଟିବା ପାଇଁକି
ଲାଗି ପାରୁନାହିଁ ମୂଲ
ହେଲେ କଣ ଏଇ ଅଲକ୍ଷଣା ଭୋକ
ମାନୁଛି ଆମର ବୋଲ I
ଘରେ ନାହିଁବୋଲି ଚାଉଳ ମୁଠାଏ
ଜଳୁନାହିଁ ଆମ ଚୁଲି
ପାଣିରେ ଭାସୁଛି ଘରଟି ଆମର
ଛପର ହୋଇନି ବୋଲି I
ପିଲେ କରିଥିଲେ ତଅପୋଇ ଓଷା
ଭୋଗ ମୁଠେ ଦେଲେ ମୋତେ
ସେଇଆକୁ ଖାଇ ଆନନ୍ଦ ମନରେ
ପାଣି ପିଇଦେ' ପେଟେ I
ଯେତେଦିନ ଯାଏ ବଞ୍ଚି ରହିଥିବା
ଏଇମିତି ଚଳିଯିବା
ଭୋକିଲା ପେଟରେ ପୁଅବୋହୂଙ୍କର
ସର୍ବସୁଖ ମନାସିବା I
ମନ କରନାହିଁ ଉଣା କୁନାବୋଉ
ଆଖିରୁ ଝରାନା ଲୁହ
ଏଇମିତି ଆମେ ବଞ୍ଚି ରହିଯିବା
ଯେତେଦିନ ଥିବ ଦେହ I