STORYMIRROR

SARATA KUMAR DAS

Fantasy Inspirational

3  

SARATA KUMAR DAS

Fantasy Inspirational

ଭଗ୍ନ ପାନ୍ଥଶାଳା

ଭଗ୍ନ ପାନ୍ଥଶାଳା

1 min
26.4K


ନାଲି ନେଳି ଆଲୋକର ଆକର୍ଷଣ

ବେଶ୍ ମାନୁଥିଲା

ମଂଚ ସାଜସଜ୍ଜା ମଧ୍ୟ ମନ ମୋହୁଥିଲା

କିଛି କିଛି ନିଛାଟିଆ ଜାଗା

ପିଣିଚିଆ ଅନ୍ଧାରରେ ଆଉଟୁ ପାଉଟୁ

ହେଉଥିଲେ ମଧ୍ୟ ସ୍ପଷ୍ଟ ବାରି ହେଉଥିଲା

ଦର୍ଶକମାନଙ୍କ ଯିବା ଆସିବା ଧାଁ ଧୌଡ

ଡାକବାଜି ଯନ୍ତ୍ରର ମନ ଛୁଆଁ ଗୀତ

ହୃଦୟକୁ ଛୁଁଉ କି ନ ଛୁଉଁ

ସଂଗୀତର ସୁରେ ସୁରେ ବେଶ୍

କିଛି ସମୟ କାଟିବାକୁ ମନ ମୋର ବ୍ୟସ୍ତ

ଓ ବିବ୍ରତ ହୋଇ ପଡୁଥିଲା ।।


ଜୀବନର ଜ୍ବଳାମୁଖୀ ଅସ୍ପଷ୍ଟ ଦିଗଗୁଡ଼ିକ

ସତେଜ ହୋଇ ପଡୁଥିଲେ

କେଉଁ ଏକ ଅଘୋଷିତ ମହାଯୁଦ୍ଧର

ଡାକରା ଆସିଥିଲା ବୋଧହୁଏ

ହାରିବା ଜିତିବା ପ୍ରାୟତଃ ଏକା କଥା ଥିଲା

ଶୂନ୍ୟରୁ ମହାଶୂନ୍ୟକୁ

ନିଶ୍ଵାସଗୁଡିକ ମନଇଛା ଧାଉଁଥିଲେ

ହୃଦୟ ର ସମସ୍ତ ସ୍ପନ୍ଦନ ଓ ଆବେଗମାନ

ନିସ୍ପନ୍ଦ ହୋଇ ପଡୁଥିଲେ ଏକାବେଳକେ

କେଉଁ ଏକ ଶୂନ୍ୟ ଗୋଧୂଳିରେ ।।


ନିରଳସ ନିଷ୍ପ୍ରଭ ମନ ମୋର

ଖୋଜି ବୁଲୁଥିଲା ଚରିତ୍ର ମାନଙ୍କୁ

ହଠାତ୍ ମଂଚ ଆଲୋକିତ ହେଲା

ରଂଗମଖା ମଣିଷ ମାନେ କେତେବେଳେ ହସିଲେ ତ

ଆଉ କେତେବେଳେ କାନ୍ଦିଲେ

ହଜିଗଲେ ନିଜ ନିଜ ଚରିତ୍ରମାନଙ୍କରେ

ମନ କିଣିନେଲେ ଦର୍ଶକମାନଙ୍କର

ନିଖୁଣ ଅଭିନୟରେ

ମୁଁ ବି ହଜିଗଲି ଏକାନ୍ତରେ ।।


ମୋ ଭିତରେ ଅବରୁଦ୍ଧ ନିଃସଙ୍ଗତା

ଢେଉ ହୋଇ ପିଟି ହେଉଥିଲା

ଧୈର୍ଯ୍ୟର ସୁଶକ୍ତ ଶିଳାଖଣ୍ଡମାନ ଭାଙ୍ଗିପଡୁଥିଲେ

ଚୁରମାର ହୋଇ ପ୍ରତି କ୍ଷଣରେ

କେତେ ବୁନ୍ଦା ଲୁହ ଝରି ପଡୁଥିଲା

ପାଦ ତଳ ମାଟି ସିକ୍ତ ହୋଇପଡୁଥିଲା

ନିଜ ଅଜାଣତରେ ।।


ପାହିଗଲା ରାତି ପଡିଗଲା ଯବନିକା

ସରିଗଲା ଅଭିନୟ

ଚରିତ୍ର ମାନେ ପାଲଟିଗଲେ ସାଧାରଣ ମଣିଷ

ରାତିର ରଂଗମଖା ମୁହଁ

ଫିକା ପଡିଗଲା ସକାଳର ସୂର୍ଯ୍ୟା କିରଣରେ ।

ରାତିର ହସ ଲୁହ ରହିଗଲା ପଛରେ

ଅସ୍ପଷ୍ଟ ହୋଇଗଲେ ଧୀରେ ଧୀରେ

ଯନ୍ତ୍ରବତ୍ ଚାଲିଗଲେ ଯିଏ ଯେଉଁଠାରୁ ଆସିଥିଲେ।


ଉଠି ପାରିଲିନି ମୁଁ

ଭିନ୍ନ ଏକ ଚିତ୍ର ଧସେଇ ପଶୁଥିଲା

ଧୀରେ ଧୀରେ ମୋ ଭଗ୍ନ ହୃଦୟରେ

ମନ୍ତ୍ରମୁଗ୍ଧ ହୋଇ ଯାଇଥିଲି

ଭାବୁଥିଲି ନିରୋଳାରେ ଏକା ଏକା ବସି

ଏଇତ ଜୀବନ ଆସିବା ଯିବାର

ଠିକଣା ନଥାଏ ନିର୍ଦିଷ୍ଟ

ପରିଚୟ ନଥାଏ କାହା ସହ କାହାର

ରାତିର ରଜନୀଗଂଧା ସକାଳକୁ ବାସହରା

ଠିକ୍ ମଂଚର ଚରିତ୍ର ମାନଙ୍କ ଭଳି ଓ

ମୋ ଭଳି ହତଭାଗ୍ୟ ଦର୍ଶକମାନଙ୍କ ଭଳି।।

ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy