ନୀଳିମା
ନୀଳିମା
ଭାବନାରେ ଆସେ
ପୁଣି ଫେରିଯାଏ ।
ସ୍ବପ୍ନର ନୀଳ ପରୀଟିଏ !
ଆଖି ତା' ଦିଶେ ଆକାଶ ପରି ସ୍ବପ୍ନିଳ
ବେଣୀ ତା' ନୀଳ ସାଗର ଭଳି
ଢେଉ ଭାଙ୍ଗୁଥାଏ ।
ଚାଲିରେ ନୀଳପଦ୍ମ ଶୋଭା ।
କେବେ କେବେ ପାହାନ୍ତା ପହରେ
ସ୍ବପ୍ନ ଆଣି ବୁଣିଦିଏ, ଝରି ପଡିଥିବା
ମଉଳା ଦୁଃଖଙ୍କୁ ଖୁଣ୍ଟି ନିଏ
ମନ ଅଗଣାରୁ।
ବରଫ ଭଳି ଶେତା ପଡିଥିବା ଆଖି
ମୋର ତରଳି ଯାଏ ଭାବନାରେ ।
ରାତି ପାହିଲେ ବେରଂଗ ସ୍ମୃତିସବୁ
ଡେଣା ଝାଡି ଉଠନ୍ତି ନିଦରୁ।
'ଶୁଭସକାଳ' ବାର୍ତ୍ତା ଦିଅନ୍ତି
ଟିଭିରେ ଆସୁଥାଏ ତାଜା ଖବର
ବଦଳୁଥିବା ଗମ୍ଭୀର ପୃଥିବୀର ଚିତ୍ର ।
କେତେ କରୁଣ, କେତେ କ୍ଷତାକ୍ତ।
ତୀରବିଦ୍ଧ ପକ୍ଷୀ ଭଳି
ଛଟପଟ ହୁଏ ହୃଦୟ ସ୍ପନ୍ଧନ ।
ନୀଳ ଶିରାରେ ବହୁଥିବା ରକ୍ତ
ଥଣ୍ଡା ଥଣ୍ଡା ଲାଗେ ।
ମୋତେ କଣ ଜଣା ଝଡ଼ ପୂର୍ବ
ଗମ୍ଭୀରତା ଦିଶେ କେମିତି ।
ମନକୁ ସାନ୍ତ୍ବନା ଦେଇ ବୁଝାଏ,
ବାଲକୋନକୁ ଯାଇ ଦେଖେ
ସକାଳର କଅଁଳ ଖରା ।
ପ୍ରଶାନ୍ତିଭରା ପ୍ରଶ୍ବାସ ଟାଣି
ଭାବନାରେ ଖୋଜେ ନୀଳପରୀ,
ଆକାଶ ସାଂଗକୁ ନାଚି ଉଠେ
ଭାଗେ ମାଟିକୁ ବେଢିଥିବା
ସାତ ସାଗରରେ ଅନନ୍ତ
ନୀଳିମାର ମାୟା ।
ଜାଣେ ଆକାଶ ଓ ସାଗରମାଳା
ନୀଳ ନୁହେଁ, ଟେକି ଆଣିଲେ
ଆଞ୍ଜୁଳାଏ ସମୁଦ୍ର ପାଣି
ନ ଥାଏ ଶାଶ୍ବତ ନୀଳିମା !
ମୋତେ ଭାରି ଡର ଲାଗେ
ନୀଳ ଲହରୀ, ତା' ଚୋରାବାଲି ।
ତା' କୂଳରେ ଠିଆ ହେଲେ
କିଏ ପାଦକୁ ଘୋଷାରେ।
କେତେଥର କଚଡା ଖାଇଛି ।
ବୁଝିପାରେନି କାହାର ଏ ଛନ୍ଦ ?
ଥରେ ସାଙ୍ଗକୁ ପଚାରିଲି 'ସେ କିଏ ?'
ଥଟ୍ଟାରେ କହିଲେ, 'ତୁମ ପ୍ରେମିକା
ହୋଇଥିବ ନତୁବା ତୁମ
ଅବୁଝା କବିତା ।'
ସମୁଦ୍ରକୁ ପଚାରି ଉତ୍ତର ପାଇଲିନି
ତା' ଗର୍ଜନ ଛାତି ଥରାଇଦେଲା ।
ମନକୁ ମୋ ପଚାରିଲି
ସମୁଦ୍ରର ନୀଳିମାରେ
କାହିଁକି ବିଭୋର ହେଉ।
କିଏ ସେ ନୀଳପରି ।
ପାଣି ଓ ଶୂନ୍ୟରେ ଭାସୁଥିବା
ମାୟା ନା ତୋ ନିରୀହ ଆଶା !
ଚୋରାବାଲିରେ ନୀଳ ଲହରୀ
ଗୋଡ ଟାଣି ଶିଖାଏ କି
ଦମ୍ଭ ଧରି ଠିଆ ହେବା ।।

