ମୃତ୍ୟୁ
ମୃତ୍ୟୁ
ମର୍ତ୍ତ୍ୟ ମଣ୍ଡଳରେ ଦେହ ବୋହିଥିଲେ ଦେବତା ହେଲେ ମରଇ
ଜୀବନ ଚକ୍ରରେ ଏହା ଧ୍ରୁବ ସତ୍ୟ ଏହା ଟାଳି ନପରାଇ ।
ଜୀବ ଅଛି ଅର୍ଥ ମୃତ୍ୟୁ ସୁନିଶ୍ଚିତ ଏହା ଦଇବର ଵିଧି
ତରୁ, ତୃଣ, କୀଟ ହେଉକି ପତଙ୍ଗ ମାନବର ସମ ଵିଧି ।
ଜନ୍ମ ଆଉ ମୃତ୍ୟୁ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ ହୋଇଥାଏ
କେତେବେଳେ ଆସେ କେତେବେଳେ ଯାଏ ବିଧାତା ହିଁ ଜାଣିଥାଏ ।
ମୃତ୍ୟ ବୁଝେ ନାହିଁ ବୁଢ଼ା କି ଭେଣ୍ଡିଆ ବୟସର ଅନୁପାତ
ଯାହାର କପାଳେ ଵିଧି ଲେଖିଅଛି ତାହା ନିଶ୍ଚେ ଫଳିବ ତ ।
ଜୀବନ ଚକ୍ରରେ ସୁକର୍ମ କରିଲେ ସବୁରି ମଙ୍ଗଳ ପାଇଁ
ଜଗତରେ ତୁମେ ଅମର ରହିବ ଏଥିରେ ସନ୍ଦେହ ନାହିଁ ।
ସୁକର୍ମ, ବୀରର ଥରେ ମୃତ୍ୟୁ ହୁଏ ଦେଶର ସୁରକ୍ଷା ପାଇଁ
ବିକର୍ମ ପୁରୁଷ ମରିଥାଏ ସଦା କୁକର୍ମ ସଙ୍ଗରେ ନେଇ ।
ଦେଶ ମାତୃକାର ସୁରକ୍ଷା ପାଇଁକି ସହୀଦ ହେବାର ଲେଖା
ତା ପାଇଁ ଗରବ ଦେଶ କରିଥାଏ ଚିନ୍ତିଣ ଅମର ଶିଖା ।
ଆଜି ଯେ ସଜୀଵ କାଲି ସେ ନିର୍ଜୀବ ଏକଥା ଭାବୁନ କାହିଁ
କ୍ଷଣିକରେ ଜୀବ ଛାଡି ଚାଲିଯିବ ଯମ ଯେ ଆସିବ ଧାଇଁ ।
ମୃତ୍ୟୁର ତାଣ୍ଡବ କେଡେ ଭୟଙ୍କର ଅନୁଭବ କରେ ଯିଏ
ଅମୁଲ୍ୟ ଜୀବନ ଛଟପଟ ହୋଇ କ୍ଷଣିକେ ଛାଡି ପଳାଏ ।
ଆତ୍ମା, ପରମାତ୍ମା ହୁଅଇ ମିଳନ ଜୀବନର ସେସାବସ୍ଥା
ଦୁହେଁ ଚାଲିଯାନ୍ତି ଛାଡ଼ିଣ ଶରୀର ଏ ଅଟେ ବିଧିର ବ୍ୟବସ୍ଥା ।
ମୃତ୍ୟୁ ଧ୍ରୁବ ସତ୍ୟ ଜାଣିଣ ମନୁଷ୍ୟ ଗରବ କରେ କାହିଁକି
ଜାଣି ନଜାଣିଣ ଚେଇଁ ସୋଇଥାଏ ସ୍ମଶାନ ଯିବା ପାଇଁକି ।