STORYMIRROR

Chinmaya Kumar Nayak

Comedy

3  

Chinmaya Kumar Nayak

Comedy

ଭଡ଼ାଘର

ଭଡ଼ାଘର

1 min
148

ଭଡ଼ା ଘର ବୋଲି ଘରଣୀଙ୍କ ମନେ

ସବୁବେଳେ ଖାଲି ଅଭିମାନ 

ନିଜ ଘର ଖଣ୍ଡେ ତୋଳି ରହିବାକୁ

ଉଛନ୍ନ ହେଲାଣି ତାଙ୍କ ମନ। 


ରମା ବାପା ଦେଖ ଦହିବରା ବିକି

ଜାଗାଟିଏ କିଣି କରେ ଘର 

ତୁମେ କାହିଁ ପାଇଁ କରି ପାରୁ ନାହଁ

ପଡିଥାଅ ସେଇ ଭଡ଼ାଘର। 


କହିବ ଯଦି ମୁଁ ଭାଇକୁ କହିବି

ଦେବ ପାଞ୍ଚ ଦଶ ଲକ୍ଷ ଟଙ୍କା 

ଜାଗା ଖୋଜ ଏବେ ଆଉ କେତେ ଦିନ

ଗଣୁଥିବ ବସି ଭଡ଼ା ଟଙ୍କା !


ଘର ମାଲିକାଣି ଦେଖେଇ ଶିଖେଇ

ନିତି କେତେ କଥା ଶୁଣାଉଛି 

ଭଡ଼ା ଅଛୁ ବୋଲି କଣ କିଣିଛି ଆମକୁ

ହାକିମାତି ଆସି ଦେଖାଉଛି। 


ପୁଅଟା ଟିକିଏ ପଢ଼ିବ ବୋଲି ସେ

କହିଲାଣି ଷ୍ଟଡି ରୁମ ପାଇଁ  

ବଡ଼ ସୋଫାଟିଏ ଆଣିବାକୁ ଇଛା

ଡ୍ରଇଂ ରୁମରେ ଜାଗା ନାହିଁ। 


କେତେ ଦିନ ଆଉ ଏମିତି ଭଡ଼ାରେ

ଚଳୁଥିବା ହୋଇ ଭଡ଼ାଟିଆ 

ସାନ ସଡୁ ତୁମ ଦେଖ ପଟିଆରେ

କଲାଣି ତିନି ମହଲା ଠିଆ। 


ତୁମ ଦ୍ୱାରା ଜାଣେ କିଛି ହେବ ନାହିଁ

କେଜାଣି କି ସୁଖ ପାଉଅଛ 

ମୋ କଥା କି କାନେ ପଶୁଛି ନାଇଁ ବା

ମୁରୁକି ମୁରୁକି ହସୁଅଛ !


ସେତେବେଳୁ ଶୁଣି ପତ୍ନୀଙ୍କ ପୁରାଣ

ଉତାରୁ ଥିଲି ମୁଁ କାଗଜରେ 

ଭଡ଼ା ଘର ଉପରେ ଏମିତି କବିତା

ଆସି ନଥାନ୍ତା ମୋ ଭାବନାରେ। 


ଆନ୍ତରିକ ଧନ୍ୟବାଦ ଦେଉଥିଲି

ଘରଣୀଙ୍କୁ ମୋର ହୃଦୟରୁ 

ରୋଚକ କବିତାଟିଏ କିନ୍ତୁ ହେଲା

ଅଜାଣତେ ତାଙ୍କ ବିରକ୍ତିରୁ। 


ସଧିରେ କୋମଳେ କହିଲି ଗୋ ପ୍ରିୟେ

ଘର ଖୋଜା ମୋର ଚାଲିଅଛି 

ଭଲ ଜାଗାଟିଏ ଜୁଟିଛି କପାଳେ

କାଲି ପରା ଦେଖି ଆସିଅଛି। 


କିନ୍ତୁ ଘରଭଡ଼ା ମଜା ନିଜ ଘରେ ନାହିଁ

ମେଣ୍ଟେନାନ୍ସ ସବୁ ମାଲିକର 

ମାସକୁ ଯେତିକି ଭଡ଼ା ଗଣିଦେଇ

ମଜା ଉଠାଅ ମାସଯାକର। 


ଏଠି ଇଛା ନାହିଁ କାଲି ଆଉ ଏକ

ଘରଟିଏ ନେଇ ଯିବା ରହି 

ତୁମ କଥା କି ମୁଁ ନ ରଖିଛି କେବେ

ଆଉ ବରଷଟେ ଯାଅ ରହି। 


ପତ୍ନୀ ସରାଗେ ମୋ କେଶକୁ ସାଉଁଳି

କହନ୍ତି ମିଛରେ ନିନ୍ଦୁଥିଲି 

ଜାଣେ ପରା ତୁମ ପରି ବୁଦ୍ଧିମାନ

ନାହିଁ ଖଣ୍ତ ମଣ୍ଡଳରେ ବୋଲି। 


ପତ୍ନୀଙ୍କ ମୁଖରେ ଶୁଣି ମୋ ପ୍ରଶଂସା

ଭାଗ୍ୟବାନ ବୋଲି ମନେକଲି 

ସ୍ୱାମୀ ହେବାର ମୋ ଗୌରବ ଟିକକ

କେଉଁଠି ଥିଲା ଆସିଲା ଚାଲି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy