ଭାରି ଦୁଃଖ ଲାଗେ
ଭାରି ଦୁଃଖ ଲାଗେ
ଭାରି ଦୁଃଖ ଲାଗେ ଜନମି ସନ୍ତାନ
ହୁଏ ଯେବେ ଅବହେଳା
ଉପଯୁକ୍ତ ଯତ୍ନ ଖାଦ୍ୟର ଅଭାବେ
ପଡେ ଦେହ ମୁଁହ କଳା ।
ହାଡ଼ ଓ ପିଞ୍ଜରା ଗଣି ହୋଇଯାଏ
ଆଖି ପଶେ କୋରଡରେ
ଫୁଲିଯାଏ ପେଟ ଅପପୁଷ୍ଟି ରୋଗେ
କାନ୍ଦେ ଡହଳ ବିକଳେ ।
ଭାରି ଦୁଃଖ ଲାଗେ ଲଭି ଶିକ୍ଷା ଦୀକ୍ଷା
ବୁଲିଲେ ବେକାର ଯୁବା
ଦୂର ପ୍ରବାସରେ ଖଟିଲେ ଦାଦନ
ଛାଡି ମାଟି ମୋହ ମାୟା ।
ଚାଷ ଜମି ସବୁ ପକାଇ ପଡିଆ
କୃଷକ କୃଷି ବିମୁଖ
ଘରେ ଉପବାସେ ସଢ଼େ ପରିବାର
ବୋତଲ ଟେକେ ମଦ୍ୟପ ।
ଭାରି ଦୁଃଖ ଲାଗେ ଆଚାର ବିଚାରେ
ନ ରହିଲେ ତାଳମେଳ
ସମ୍ବନ୍ଧ ସମ୍ପର୍କେ ନଥିଲେ ବିଶ୍ୱାସ
ମନୁଷ୍ୟ ନୀଚ୍ଚ ବର୍ବର ।
ଛତୁ ପରି ଫୁଟେ ସ୍କୁଲ ଓ କଲେଜ
ଉଚ୍ଚ ଶିକ୍ଷା ଦିଶା ହୀନ
ଗୁଣାତ୍ମକ ମାନ ନୈତିକ ଆଦର୍ଶ
ଅବକ୍ଷୟ ଦିନୁଦିନ ।
ଅଭାବ କଷଣ ହେଉନାହିଁ ଦୂର
ବଢୁଛି ଗଣ ଦାରିଦ୍ର୍ୟ
ଲାଞ୍ଚ ଜମାଖୋରୀ ଶୋଷଣ ତୋଷଣେ
ମାଲାମାଲ ଟାଉଟର ।
ଆକାଶ କଇଆଁ ଆତ୍ମ ନିର୍ଭରତା
ମୈ।ଳିକ ସ୍ୱଅଧିକାର
ହୀନିମାନେ ବଞ୍ଚେ ଜନ ସାଧାରଣ
କପାଳେ ମାରଇ କର ।
କର୍ମ ନିପୁଣତା କର୍ତ୍ତବ୍ୟରେ ନିଷ୍ଠା
ଆଦର୍ଶ ଶୃଙ୍ଖଳା ବୋଧ
ତ୍ୱରାନ୍ୱିତ କରେ ଜାତୀୟ ପ୍ରଗତି
ଅଭାବେ ଦୁର୍ଦ୍ଦଶା ଭୋଗ ।
ଜାତୀୟ ସଂହତି ସାହିତ୍ୟ ସଂସ୍କୃତି
ମୂଲ୍ୟବୋଧ ମାନବତା
ଜାଗରିତ ହେଉ ପ୍ରତିଟି ପରାଣେ
ସମାଜ ସଚେତନତା ।
