ଭାଙ୍ଗିବ ତ, ଭାଙ୍ଗ
ଭାଙ୍ଗିବ ତ, ଭାଙ୍ଗ
ଗଢ଼ିବା ଭାଙ୍ଗିବା ତ
ଗୋଟିଏ ପ୍ରକ୍ରିୟା, ଗୋଟେ ଗଠନାତ୍ମକ ଧ୍ବଂସ
ନୂଆ ଜୀବନର ଏକ ପ୍ରଲମ୍ବିତ ଉଛ୍ୱାସ;
ସେଥିପାଇଁ ବୋଧେ ତୁମେ ମତେ
ଭାଙ୍ଗିବାକୁ ଭଲ ପାଅ !
ହଠାତ ! ସେ ଦିନ ସେ ପାହାଡ଼ଟା
ଭାଙ୍ଗିଲା, କେତେ ଦିନ ଆଉ ଛାତିକୁ
ପଥର କରି ଏତେ ସବୁ ସଂକୋଚନ - ପ୍ରସାରଣ
ସହୁଥାନ୍ତା , ତା' ର ତ ବି ଗୋଟିଏ ସୀମା ଅଛି ନା !
ଭାଙ୍ଗିଲା, ଖଣ୍ଡ ବିଖଣ୍ଡିତ ହେଲା, ଚୂର୍ଣ୍ଣିଭୂତ ହେଲା,
ଖରାରେ ଶିଝିଲା, ଧୂଳିରେ ଗଡ଼ିଲା, ବାୟୁରେ ଉଡ଼ିଲା,
ପାଣି ଛୁଇଁଲା ପରେ ମାଟି ହେଲା,
ଆଉ ତା' ପରେ ?
ତା'ପରେ ହାଣ୍ଡି, କଳସ, ଘଟ, ଇଟା, ମୂର୍ତ୍ତି ଗଢ଼ା ହେଲା ।
ଭାଙ୍ଗିଲା ବୋଲି ସିନା ଏତେ କିଛି ସମ୍ଭବ ହେଲା,
ଏତେ କିଛି ରୂପ ନେଲା,
ନହେଲେ ଯେ ପଥରକୁ, ସେଇ ପଥର, ସେଇ ପାଷାଣ ।
ଭାଙ୍ଗୁଛ ତ, ଭଙ୍ଗ !
ମୁଁ ପ୍ରତିବାଦ କରିବି ନାହିଁ,
ରାସ୍ତାଘାଟରେ ଧର୍ମଘଟ କରିବି ନାହିଁ,
ଟାୟାର ଜଳେଇ ଧୂଆଁରେ ମିଳେଇବି ନାହିଁ
ଏସବୁତ ଅକ୍ଷମଙ୍କ ପରିଚୟ, ବରଂ
ତୁମର ପ୍ରତ୍ୟେକ ଭାଙ୍ଗିବାରେ
ମୁଁ ନୂଆ ନୂଆ ଜୀବନ ପାଉଥିବି,
ନୂଆ ନୁଆ ପରିଚୟ ନେଉଥିବି ।।

