ଭାବୁନ କି ମୋତେ ନିଜର ବୋଲି
ଭାବୁନ କି ମୋତେ ନିଜର ବୋଲି
ନିକୁଞ୍ଜ ସଦନେ କୃଷ୍ଣ ଅଭିସାରେ
ରାତ୍ରୀ ହୋଇ ଉଜାଗର
ଶ୍ରୀରାଧାଙ୍କ ମନ ଅତ୍ଯନ୍ତ ବିଷର୍ଣ୍ଣ
କୋପେ ହୁଏ ଥରହର ।
କୃଷ୍ଣ ଆଗମନ ଦେଖିଣ ବିଳମ୍ବ
ନୟନରୁ ବହେ ବାରି
ଲାଜ ଅଭିମାନେ ନସ୍ଫୁରେ ବଚନ
ଦେହମନ ଲାଗେ ଭାରି ।
ବିଜେ ହେଲେ ଯହୁଁ ମଦନମୋହନ
ଗୋବିନ୍ଦ ପରମାନନ୍ଦ
ମୃଦୁମନ୍ଦ ହାସ୍ଯେ କଲେ ଅନୁନୟ
ମାନଭଗ୍ନ ଉପକ୍ରମ ।
କହନ୍ତି ରାଧିକା ବଡ ଦଗାଦିଆ
କଥା ଦେଇ ରଖ ନାହିଁ
ନିଜର ବୋଲିକି ଭାବୁନାହଁ ମୋତେ
ଧୂର୍ତ୍ତପଣ କାହିଁପାଇଁ ।
ଏଡିକି ନିଷ୍ଠୁର ହୃଦୟ କଠୋର
ଜାଣିବ କିଏ ବା ଭଲା
ଦେଖାଅନା ମିଛ ଅନୁରାଗ ଭାବ
କ୍ଷତେ ଲୁଣ ଦିଏ ଜ୍ବାଳା ।
ହୋଇ ଏକାକିନୀ ଅବଳା କାମିନୀ
ବନେ ବନେ ଭ୍ରମି ଭ୍ରମି
ଆସିଥିଲି ଯେଉଁ ଭରସା ଆଶାରେ
ଅବଶୋଷ ଗଲା ଭାଙ୍ଗି ।
କୋପେ ଜରଜର ପୂର୍ଣ୍ଣ ଶଶୀମୁଖୀ
ବସିଲେ ମୁହଁକୁ ପୋତି
ଲୋଡା ନାହିଁ ତୁମ ସାନ୍ନିଧ୍ୟ କେଶବ
ଦୁଃଖିନୀକୁ ଦିଅ ଶାନ୍ତି ।
କହନ୍ତି ଶ୍ରୀହରି କହିପାର ଯାହା
ହୋଇଛି ମନକୁ ବାଧା
ଜାଣିଥା ଏତିକି କୃଷ୍ଣ ପ୍ରାଣପ୍ରିୟା
କେବଳ ଶ୍ରୀମତୀ ରାଧା ।
ଆକର୍ଷି ଶ୍ରୀରାଧା ପଦପଲ୍ଲବକୁ
ରଙ୍ଗ ଅଳତାରେ ରଞ୍ଜି
ମୋହିନେଲେ ମନ ଶ୍ରୀମଧୁସୂଦନ
ରସରାସେ ଭିଜିମଜ୍ଜି ।
-----

