ଭାବନା
ଭାବନା
ମୋ ଜଗାକାଳିଆ ଶୁଖାଇଛି ମୁହଁ
ମନଟା ଯେ ଖଟା ତା'ର,
ଗହଳି ଚହଳି ଶୁଭୁନାହିଁ କ୍ଷେତ୍ରେ
ନାହିଁ ଭକତର ସ୍ଵର।
ଦୂରରୁ ଶୁଣୁଛି କେ ଗାଳି ଦେଉଛି
କିଏ ଡାକେ ଆକୁଳରେ,
ପୂର୍ଣ୍ଣ ହୁଏ ପେଟ ଅଭିଯୋଗ ଆଉ
ଅଭିମାନର ଗାଳିରେ।
ଆନନ୍ଦ ବଜାରେ ଶ୍ରୀମହାପ୍ରସାଦ
ଖାଇବାକୁ ଭିଡ଼ ନାହିଁ,
ବାଇଶି ପାହାଚ ପୁଣି ସିଂହଦ୍ଵାର
ଶୂନ୍ୟତାରେ ଭରିଥାଇ।
କରି କରାଉଛି ତଥାପି ଭାବୁଛି
ଅଜ୍ଞାନ ଭକତ କଥା,
ଅସତ୍ୟ ଅଧର୍ମ ପଥେ ଯାଇ ଆଜି
ଭୋଗୁଛି କଷଣ ବ୍ୟଥା।
ପ୍ରତି କ୍ଷଣେ କ୍ଷଣେ ଚେତାବନୀ ଦେଇ
ଚେତିଲା ନାହିଁ ଏ ନର,
ସମଗ୍ର ମାନବ ଜାତି ସହ ସର୍ବେ
ଆତଙ୍କରେ ଥରହର।
ପ୍ରଥମେ ଅଳପ ଧୀରେ ଧୀରେ କରି
ଚେତାଇଲା ସଭିଙ୍କୁ ଯେ,
ଅନ୍ତର ଚେତନା ନ ହେଲା ଜାଗ୍ରତ
ଛଟପଟ ଭୟରେ ସେ।
କହୁଛି କାଳିଆ ହେ ମୋର ଭକତ
ମାନବିକତାକୁ ଦେଖ,
ଦୟା ଧର୍ମ ଧ୍ୟାୟୀ ସତ୍ୟପଥେ ଯାଇ
ନ ମାଡ଼ ଅଧର୍ମ ପାଖ।
ଗୀତା ଭାଗବତ ଶାସ୍ତ୍ର ପୁରାଣରେ
ସମୟକୁ ବାହିନିଅ,
ହରେକୃଷ୍ଣ ହରେରାମ ମହାମନ୍ତ୍ରେ
ଆତ୍ମା ପବିତ୍ର କରାଅ।