ବେଳାଭୂମିର ଶିଳ୍ପୀଟିଏ ମୁଁ
ବେଳାଭୂମିର ଶିଳ୍ପୀଟିଏ ମୁଁ
ଭବ ପାରାପାର କୁଳ ଉପକୂଳେ
ତଟସ୍ଥ ମୁଁ ପର୍ଯ୍ୟଟକ
ଦେଖେ ନିର୍ନିମେଷ ନୀଳିମା ଅନନ୍ତ
ବେଳାବୁକୁ ସୁବିସ୍ତୃତ ।
ମଥାପିଟେ କୂଳେ ଉତ୍ତାଳ ଲହରୀ
ଆସଇ ତରଙ୍ଗ ଭଟ୍ଟା
ଅବୋଧ ମୋ ମନ ଶିଶୁ କୈ।ତୁହଳେ
ସାଉଁଟେ ରଙ୍ଗ ଶାମୁକା ।
ଦଉଡେ ଆଗକୁ ଘୁଞ୍ଚିଆସେ ପଛେ
ଖେଳେ ଡୁ ଡୁ ବୋହୁଚୋରୀ
ଆଙ୍କେ ପଦଚିହ୍ନ ବାଲୁକା ଓଦାରେ
ନାଚେ ଗାଏ ତାଳି ମାରି ।
ଆନନ୍ଦ ମଗନେ ତୋଳେ ବାଲିଘର
ସ୍ୱପ୍ନ ହୁଏ ଉଜାଗର
ବୋଇତ ମେଲାଇ ଯାଏ ବାଲିଦ୍ୱୀପ
ବଣିକ ମୁଁ ସୈ।ଦାଗର ।
ଗଢେ ମୁଁ ମନ୍ଦିର ମୋ ସ୍ୱପ୍ନମହଲ
ମନ ମୋ ରାଜକୁମର
ଖୋଜି ବୁଲୁଥାଏ ମନ ପ୍ରଜାପତି
ପ୍ରିୟ ସାଥୀଟିଏ ତାର ।
ସ୍ୱର୍ଣ୍ଣ ବେଳାଭୁମି କୁଶଳୀ ଶିଳ୍ପୀ ମୁଁ
ତୁମେ ଦାରୁ ଭବଭେଳା
ସୁଖଦୁଃଖେ ତୁମେ କେବଳ ଭରସା
ଅକାତ ଜଳେ ଆହୁଲା ।
ଟେକି ଦୁଇହାତ ଜଣାଏ ପ୍ରଣତି
ସାହା ହୁଅ ବିଶ୍ୱକର୍ମା
ଅନୁକୁଳ ହେଉ ଜୀବନର ଯାତ୍ରା
ଉତ୍କର୍ଷୁ ଚାରୁ ସୁଷମା ।
-------

