ସମ୍ପର୍କର ମଧୁଗୀତି
ସମ୍ପର୍କର ମଧୁଗୀତି
ସୁନୀଳ ଆକାଶ ଯମୁନା ତରଙ୍ଗ
ମଳୟ ମୃଦୁ ସମୀର
ଗାଏ କୁଞ୍ଜବନ ନିନାଦେ ମୂରଲୀ
ପ୍ରୀତି ସ୍ବର ସୁମଧୁର ।
ସବୁଜ ସୁନ୍ଦର କାନନ ନିକୁଞ୍ଜେ
ସୁଧା ପାନେ ମଧୁକର
ଶ୍ଯାମ ତରୁଲତା ସୁମନେ ବିହରି
ଅଧୀର ଚଳ ଚଞ୍ଚଳ ।
ବିତରେ ସୁବାସ କୁସୁମିତ ପୁଷ୍ପ
ବକୁଳ ଚ୍ୟୁତ ବଲ୍ଲରୀ
ପ୍ରମତ୍ତ ସୃଜନେ ଜଗତ ଜୀବନ
ପ୍ରେମସୁଧା ଅନୁସରି ।
ସୃଷ୍ଟି ମଧୁଛନ୍ଦେ ନିର୍ଝରେ ଅମୃତ
ସମ୍ପର୍କର ମଧୁଗୀତି
ଝରେ ସ୍ନେହାଶିଷ ଫଗୁଣର ରଙ୍ଗ
ସୁସାହିତ୍ଯ ପ୍ରେମପ୍ରୀତି ।
ସରସ ସୁନ୍ଦର ଜୀବନ ଆଦର୍ଶ
ସୌଜନ୍ଯ ସହାବସ୍ଥାନ
ସତ୍ଯ ଶୁଭ୍ରାଲୋକେ ଆନନ୍ଦ ଉଲ୍ଲାସେ
ଉଜ୍ଜ୍ବଳୁ ଦିବ୍ଯ ଦର୍ଶନ ।

