ପ୍ରଥମ ଛୁଆଁ
ପ୍ରଥମ ଛୁଆଁ
ପ୍ରଥମ ଟୋପାର ପ୍ରଥମ ଛୁଆଁ ରେ
ପ୍ରକୃତି ନବ ନହୁଲି,
ହଜିଗଲା ତାର ହୃଦୟ ଆହୋସ
ଶୋଇଗଲା ଗଡଘାଲି।
ଖୋଲିଗଲା ତାର ଗଭାର ଗଜରା
ଫିଟିଲା କୁଚ କାଞ୍ଚେଲା,
ଅସଜଡା ଗଭା ବାସ ମହକିଲା
ସବୁ ହେଲେ ମତୁଆଲା।
ପ୍ରକୃତି ରାଣୀର ପ୍ରେୟସୀ ମନଟା
ପ୍ରିୟତମ ବାଟ ଚାହିଁ,
ପୃଥିବୀ ବୁକୁରେ ଲୋଟି ଖେଳୁଅଛି
ଅବଗୁଣ୍ଠନ ରେ ରହି।
ଭିଜା ମାଟି ବାସ୍ନା ,ଶୀତୁଆ ମଳୟ
ଦାଉ ସାଜୁଛନ୍ତି ଦେଖି,
ଲାଜୁଆ ଆଖିର ନିମିଳିଷ ପତା
ମେଘ ମହ୍ଲାର ଖୋଜୁଛି।
ପ୍ରିତି ପୁଷ୍ପ ହାର ଏକାନ୍ତେ ନିବିଡ଼େ
ଇପ୍ସିତ ଗଳାରେ ଦେବ,
ପ୍ରେମ ଫଲଗୁ ବୋଳି ପ୍ରିୟତମ ଗାଲେ
ବୁକୁରେ ଲୋଟି ସେ ଯିବ।
ଆସୁଛି ନେଇ ସେ ରୁପାର ଶବାରୀ
ସୁନା କନିଆଁ ର ପାଇଁ ,
ବିଜୁଳି କନିଆଁ ସହିପାରୁ ନାହିଁ
ଛାଟି ପିଟି ହୁଏ ରହି।
ବଉଦ ର ଡି.ଜେ. ଛାତି ଥରାଉଛି
ନାଚୁଛି ବରଷା ରାଣୀ,
ମେଘ ରାଜା ଆସେ ପ୍ରକୃତିର ପାଶେ
ଜଗତ କଲ୍ୟାଣ ଠାଣି।
ଚାହିଁ ରହିଛନ୍ତି ତୃଣ ବନରାଜୀ
ଉଦ୍ଧିଦ ଜଗତ ମେଳେ,
ସାଜି ବରଯାତ୍ରୀ ପ୍ରାଣୀ ର ଜଗତ
ନାଚନ୍ତି ଆଜି ସକଳେ।

