STORYMIRROR

Geetanjali Prusty

Romance

4  

Geetanjali Prusty

Romance

ଚାରୁମୟୀ ଚିତ୍ରଲେଖା

ଚାରୁମୟୀ ଚିତ୍ରଲେଖା

1 min
395


ହୁଅନ୍ତି କି ତୁମ ପ୍ରେମ କବିତାର

ନୀରବ ନାୟିକାଟିଏ

ସଂଭ୍ରମେ ସାଇତା ମନ ଉପବନେ

ପ୍ରୀତିଭରା ସ୍ମୃତି ଖିଏ ll


ହୁଅନ୍ତି କି ତୁମ ଚଲାପଥ ଧାରେ

ରଙ୍ଗ ଭରା କୃଷ୍ଣଚୂଡ଼ା

ଶତ ରୋମାଞ୍ଚିତ ସ୍ବପ୍ନ ମହଲର

ଦେଉଳ ମୁଁ ଅଧାଗଢ଼ା ll


ହୁଅନ୍ତି କି ତୁମ ପ୍ରେମ ପୁସ୍ତକର

ପ୍ରୀତିଭରା ପୃଷ୍ଠା ଟିଏ

ଅଧା ଲେଖା ତୁମ ଉପନ୍ୟାସଟିର

ବିଦଗ୍ଧ ପାଠିକାଟିଏ ll


ହୁଅନ୍ତି କୁ ତୁମ ମନ ଆଇନାର

ଅଦୃଶ୍ୟ ମୁଁ ପ୍ରତିଛବି

ପାରନ୍ତି କି ତୁମ ସରଳ ମନର

ବିଶ୍ୱାସ ମୁଁ ଅନୁଭବି ll


ହୁଅନ୍ତି କି ତୁମ ପ୍ରୀତି ବଗିଚାର

ନୂଆ ପ୍ରଜାପତିଟିଏ

ଡେଣା ଝାଡ଼ି ଉଡ଼ି ଫୁଲରୁ ଫୁଲକୁ

କଅଁଳ ପାଖୁଡ଼ା ଛୁଏଁ ll


ହୁଅନ୍ତି କି ତୁମ ପ୍ରୀତି ମହ୍ଲାରର

ପହିଲି ପୁଲକ ଛୁଆଁ

ସୁକୋମଳ ତୁମ ହୃଦୟ ବେଳାରେ

ଅନନ୍ୟା ଅଲିଭା ନାଆଁ ll


ହୁଅନ୍ତିକି ତୁମ ନୀଳ ନୟନରୁ

ଆନନ୍ଦାଶ୍ରୁ ଦୁଇ ଧାର 

ମିଶି ମୁଁ ଯାଆନ୍ତି ପ୍ରଣୟ ପୁଲକେ

ପରିପୂର୍ଣ୍ଣ ପାରାବାର ll


ହୁଅନ୍ତି କି ତୁମ ମନ କାନଭାସରେ

ସୁକୋମଳ ରଙ୍ଗ ତୂଳୀ

ଅନନ୍ୟ ତୁମର ଦିବ୍ୟ ଛବି ଆଙ୍କି

ଖେଳନ୍ତି ତୃପ୍ତିର ଦୋଳି ll


ହୁଅନ୍ତି କି ତୁମ ନୀରବ ନିଃଶ୍ୱାସେ

ଛୋଟିଆ ପବନଟିଏ

ଅବା ଧମନୀର ଉଷୁମ ରକ୍ତରେ

ଲୋହିତ କଣିକାଟିଏ ll


ହୁଅନ୍ତି କି ତୁମ ଜୀବନ ନାଟକେ

ସଂତୃପ୍ତିର ଯବନିକା

ସେଇ ସାନିଧ୍ୟର ସାୟାହ୍ନ ବେଳାରେ

ଚାରୁମୟୀ ଚିତ୍ରଲେଖା ll


ତୁମ ଆଶ୍ଳେଷର ନିବିଡ଼ତା ପଣେ

ପାରନ୍ତି ଯଦି ମୁଁ ହଜି

କୋଟି ଜନମର ପୂଣ୍ୟତା ପ୍ରାପ୍ତିରେ

ସପ୍ରେମେ ଯାଆନ୍ତି ଭିଜି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance