ନୀଳ ଜହ୍ନ
ନୀଳ ଜହ୍ନ
ନୀଳ ଜହ୍ନ ଦିନେ
ତୋଳିଥିଲା ଘର
ସ୍ବପ୍ନ ମାୟାଜାଲେ
ମୋ ମନ ଆକାଶ ପରେ
ଭିଜାଇଥିଲା ସେ
ମିଠା ଜୋଛନା ରେ
ମୋ ଦେହ ମନକୁ
ପ୍ରଣୟ ମହ୍ଲାର ଧାରେ ।
ହଜେଇଥିଲି ମୁଁ
ପରିଚୟ ମୋର
ଭୁଲିଲି ନିଜକୁ
ତା ପୀରତି ଢ଼େଉ ନୀରେ
ଝୁମୁଥିଲା ମନ
ଅପୂର୍ଵ ଚମକେ
ପୁଲକ ବି ଥିଲା
ତା ନହୁଲୀ ପରଶରେ ।
ପ୍ରଜାପତି ରଙ୍ଗେ
ରଙ୍ଗୀନ ସ୍ବପ୍ନ ମୋ
ଫୁଲର ବାସ୍ନାରେ
ବିମୋହିତ ଭାବନାରେ ।
ଆଜିକାଲି କାହିଁ
ଆସେନାହିଁ ଜହ୍ନ
ଢାଳେନି ଜୋଛନା
ମୋ ମନ ଆକାଶ ପରେ
ଭିଜେନି ଆଉ ବି
ଦେହ ମନ ମୋର
ହୃଦୟ କାନନ
ତା ମିଠା ଜୋଛନା ଧାରେ ।
ପ୍ରତିବିମ୍ବ ମୋର
ଦେଖିପାରେ ନାହିଁ
ଲିଭିଛି କେବେଠୁ
ତା ପ୍ରଶସ୍ତ ଛାତି ତଳୁ
ପରଦେଶୀ ସିଏ
ଜଳାଏ ହ୍ରୁଦକୁ
ପ୍ରତିଶୃତି ଯେତେ
ଭୁଲିଲାଣି କେତେ କାଳୁ ।

