ବାଟୋଇ
ବାଟୋଇ
ନଈଟିଏ ବହିଚାଲିଛି ଦୁଇକୂଳକୁ ଖାଇ ଖାଇ
ବାଟୋଇଟି ଆରଘାଟର ଶେଷ ପାହାଚେ
ବସିଛି ଚୁପଚାପ ଜାକିଜୁକି ହୋଇ ।
ଆଖିରେ ଥୁଣ୍ଟା ବରଗଛର ଅଳସୁଆ ନିଦ ଧରି
ସେ ଜିହ୍ଵାରେ ଏବେ ବି ଆଙ୍କୁଛି ସ୍ଵାଦର ମାନଚିତ୍ର
ସ୍ଵପ୍ନର ବଣିକମାନେ ଆସୁଛନ୍ତି ଅହରହ
ବିରାଟ ବିରାଟ ଆଶାର ପାଲଟଣା ଜାହାଜ ନେଇ
ତାର ଇନ୍ଦ୍ରିୟମାନଙ୍କ ପୋତାଶ୍ରୟକୁ ।
ସେଥିପାଇଁ ତାର ଅବା ସମୟ କାହିଁ
ଡାକିବାକୁ ନାଉରିଆକୁ ।
କାହିଁକିନା ଏବେ ବି ମନ ତାର ମଜଗୁଲ
ଘୋଡା ଚଢୁଥିବା ରାଜକୁମାରଟିଏ ସାଜି
ଲୁଚିବସି ଦେଖୁଛି ପତ୍ର ଆଢୁଆଳେ
ନଈତୁଠେ ଗାଧୋଉଥିବା
କିଶୋରୀମାନଙ୍କର ଉଦ୍ଧତ ଅଧା ସ୍ତନ୍ୟଯୁଗଳକୁ
ଆଉ ରଙ୍ଗିନ ଫରୁଆରେ ତାର ପ୍ରିୟତମାର ପ୍ରତିଛବିକୁ ।
ସନ୍ଧ୍ୟା ହେବାକୁ ପରା ଆଉ ଅଳ୍ପ ସମୟ ବାକି
ଘାଟରେ ଚୁପଚାପ ବସିରହିଲେ ଚଳିବନି ଆଉ ବାଟୋଇ
ଡାକ ତୁମେ ଏଥର ତୁମ ନାଉରିଆକୁ ସ୍ମରୀ
ଯଦି ହେବାକୁ ତୁମେ ଜଲଦି ପାରି ।