ବାରଂଗନାର ଅବ୍ୟକ୍ତ ସ୍ୱର
ବାରଂଗନାର ଅବ୍ୟକ୍ତ ସ୍ୱର
ସପନେ ଥିଲା ନାଇବ ନାଲି ସିନ୍ଦୂରକୁ
ବଧୂ ବେଶରେ ନିଜ ମଥାରେ ଦେବାକୁ |
ଝିଲିମିଲି ତାର ଯୌବନ ପସରା
ସାର୍ଥକ ହୋଇବ ବଧୂ ହେଲେ ପରା |
ବାନ୍ଧିବ ପରିବାରକୁ ସ୍ନେହର ଡୋରରେ
ମହକି ଉଠିବ ତାର ଘର ଏକ ସମୟରେ |
ରୁଣୁଝୁଣୁ ପାଦେ ଲଗାଇ ନାଲି ଅଳତାକୁ
ବାସରାତିରେ ଥିବ ଚାହିଁ ସ୍ୱାମୀର ବାଟକୁ |
ଦେହରୁ କେତେ ଝାଳ ଛାଡି ଯାଆନ୍ତି
କିଟିମିଟି ଅନ୍ଧାର ଭିତରେ ତା ଇଜ୍ଜତ ନିଅନ୍ତି |
ପରିସ୍ଥିତିର ଦାସ, ମୁହେଁ ବୋଳି ପାଉଡର
ବାଧ୍ୟକତାରେ ଅନ୍ଧାର ରାତିକୁ କରେ ଆପଣାର |
ମନେ ଚାପି ରଖିଛି ନିଜ ଅଜସ୍ର ଦୁଃଖକୁ
ସର୍ବଦା ହସାଏ ସିଏ ଏଇ ସାରା ଦୁନିଆକୁ |
ସମାଜରେ ଶୁଣୁଛି କେତେ ନିନ୍ଦା ଗାଳି
ଅଭିନୟକୁ ସେ ଯେ କରିଛି ଜପା ମାଳି |
ମୁଁ ରୁ ଆମେ ହେବାର ତାର ପ୍ରବଳ ଇଚ୍ଛା
ଅସରନ୍ତି ସ୍ନେହ ପାଇବାର ଯେତେ ଇଚ୍ଛା |
ସେହି ଇଚ୍ଛା, ତା ମନକୁ ବିଚଳିତ କରେ
ଜାଣିଛି ସେ, ଧାଇଁଛି ମରୀଚିକା ପଛରେ |
ଜାଣେ, ସବୁ ଇଚ୍ଛା ପୂରଣ ତ ହୁଏନି
ତଥାପି ଏ ଇଛା କାହିଁ କୁହ ମରେନି |
ରାତି ଆଗମନେ ଆଶା ମଉଳି ଯାଏ
ତାହାର ଅନ୍ତରକୁ ଜାଣନ୍ତିନି କିଏ |
ଜାଣୁଛି ତା ଜୀବନେ ନାହିଁ ପତି ପ୍ରୀତି
ପତିତା ହୋଇଛି ଅନୁତାପ କରେ ନିତି |
ଅନ୍ଧାର ଭିତରେ, ବାରଂଗନା ପରିଚୟ
ନାହିଁ ପରିବାର, ଦେହକୁ କରିଛି ବ୍ୟବସାୟ |
ପିଲା ନାହିଁ, କେବେ ମାଆ ଡାକନ୍ତିନି
ନାହିଁ ତାର ପତି, ପ୍ରିୟା ବୋଲି ଡାକନ୍ତିନି |
ଆଜି ଅଛି ଏଠି, ଜାଣେନା ତା ବେଳାଭୂଇଁ
କେଉଁଠାରେ ଥିବ କାଲି, ତାହା ଜାଣି ନାହିଁ |
ଜୀବନ ତାହାର ରାତ୍ର, ସକାଳ ଅପେକ୍ଷାରେ
ଦିନହେଲେ, ଅସମାହିତ ପ୍ରଶ୍ନ ରହେ ମୁଣ୍ଡରେ |
ବାସ୍ତବତା, କିଛି ଗୋଟେ ଘଟିବାର ପ୍ରତୀକ୍ଷାରେ
ଏହା ତାର ଅବ୍ୟକ୍ତ ସ୍ୱର, ରହିଛି ମନ ହୃଦରେ |
