ବାଡି ଅଗଣା
ବାଡି ଅଗଣା
ଚାକିରୀ କାଳ ମୋ ବିତିଗଲା ଭାଇ
ପ୍ରବାସରେ ଭଡାଘରେ
ହୋଇ ବୃଦ୍ଧବୃଦ୍ଧା ଛାଡି ଚାଲିଗଲେ
ପିତାମାତା ସ୍ବର୍ଗପୁରେ ।
ଭାଙ୍ଗିଗଲା ଖଞ୍ଜା ଛପର ପୁରୁଖା
ଝାଟିମାଟି ଚାଳଘର
ନେଇଗଲା କିଏ ଆସବାବପତ୍ର
ତାହା ମୋତେ ଅଗୋଚର ।
ପାଇଲିନି ଖୋଜି ମାଆ ପୂଜୁଥିବା
ଗୁରୁବାର ଶେରମାଣ
ଠାକୁର ସହିତ ଖଟୁଲି ଉଭାନ
ହେଲି କେତେ ମ୍ରିୟମାଣ ।
ଆଜିକାଲି ଭାଇ ସବୁତ ଭଗାରୀ
ନୁହଁନ୍ତି କେହି କାହାରି
ବାଡେଇଲେ କୋଠା ଭାଙ୍ଗି ସବୁ ଚାଳି
ଜାଗାକୁ ମୋ ଗଲେ ଗିଳି ।
ମିଳୁଛି ସୁବିଧା ଚାଉଳ ମାଗଣା
ଭତ୍ତା କାଳିଆ ବଳିଆ
ହତଭାଗା ମୁହିଁ ଏକଲା ବିଚରା
ମହାପାପୀ ଚାକିରିଆ ।
ଚାହିଁ ରହିଥିବି ମଟମଟ କରି
ପାରିବିନି ଘର ତୋଳି
ଚଳିବାକୁ ତାଙ୍କେ ହେବ ଅସୁବିଧା
କରିବେ ଅଯଥା କଳି ।
ରହିଛି ତାଙ୍କର ଦଳର ଶାସନ
ସବୁଆଡେ ପରିଚିତି
ପାଞ୍ଚମୁଖେ ଛେଳି ଅବଶ୍ଯ କୁକୁର
ଠାରିଦେଲେ ନେବେ ଟେକି ।
କଚ୍ଛପ ଗତିରେ ଚାଲୁଛି ଯେଭଳି
ଏଠି ନ୍ଯାୟ ପ୍ରଶାସନ
ଦଉଡି ଦପ୍ତର ଛିଣ୍ଡୁଛି ଚପଲ
ପାଉଛି ପୀଡା ଭୀଷଣ ।
କରି ଅର୍ଥଶ୍ରାଦ୍ଧ ତୁଚ୍ଛା ଧାଇଁଲେବି
ଘୁଞ୍ଚୁଥାଏ ଦୂର ପଦ୍ମ
ସବୁ ନିଆଁଗିଳା ଝୁଣି ଚାଲୁଛନ୍ତି
ଅଭିମନ୍ଯୁ ହୁଏ ବଧ ।
ନାଚୁଅଛି ସ୍ମୃତି ଆଖିରେ ମୋ ନିତି
ହସଖୁସି ପିଲାଦିନ
ଝାଟିମାଟି ଘର ଏ ବାଡି ଅଗଣା
ଥିଲା ମୋ ଜୀବନ ସ୍ବପ୍ନ ।
ଲିପୁଥିଲା ମାଆ ଅଗଣା ଦୁଆର
ପକାଇ ଗୋବର ପାଣି
କାଟୁଥିଲା ଝୋଟି ଚିତା ଗୁରୁବାର
ପୂଜୁଥିଲା ମାଆ ଲକ୍ଷ୍ମୀ ।
ଭେଣ୍ଡି ବାଇଗଣ ଖଡା ଶାକେ ବାଡି
ବାରମାସୀ ଅନ୍ନପୂର୍ଣ୍ଣା
ବାରମାସେ ତେର କରି ଓଷାବ୍ରତ
ବାଣ୍ଟେ ମାଆ ପିଠାପଣା ।
ଆମ ଘର ଖଣ୍ଡା ବର୍ଚ୍ଛା ତରବାରୀ
ଧରେନି କେବେ କଳଙ୍କୀ
ଆସିଲେ ପାର୍ବଣ ବସୁଥିଲା ସାଜ
ଦେବୀଙ୍କ କଳସ ସ୍ଥାପି ।
ହୋଇଲି କିପରି ଆଜି ମୁଁ ନିଃସ୍ବ
ଅସହାୟ ସର୍ବହରା
ପାରୁନାହିଁ ବୁଝି ସମୟ ସମାଜ
ହେଲା କିମ୍ପା ସର୍ବଗିଳା ।
ପାଉନାହିଁ ଖୋଜି ମୁଁ ମୋର ଠିକଣା
ଅଗଣା ମୋ ଆବର୍ଜନା
ଛାଡୁଛି ଦୁଃଖରେ ଦୀର୍ଘ ଅଣଚାଶ
କିଂକର୍ତ୍ତବ୍ଯ ମୁଁ ଢମଣା ।
