STORYMIRROR

Kabiratna Nutan Kumar Behera

Tragedy Classics Inspirational

4  

Kabiratna Nutan Kumar Behera

Tragedy Classics Inspirational

ଜୀବନ ନଉକାରେ ମନ ନାଉରୀ

ଜୀବନ ନଉକାରେ ମନ ନାଉରୀ

1 min
8


ସମୟର ସ୍ରୋତ   ହୁଏ ପ୍ରବାହିତ 

      ବିଧିର ବିଧାନ ମତେ,

ଉଦୟରୁ ଅସ୍ତ    ସଂଜରୁ ସକାଳ

      ହେଉଛି ଯା' ଏ ଜଗତେ।

ସୃଷ୍ଟିକର୍ତ୍ତା ପ୍ରଭୁ    କରି ସଂରଚନା

     ଦେଇଛନ୍ତି ସବୁ ଭବେ, 

ସୂର୍ଯ୍ୟ ଚନ୍ଦ୍ର ତାରା   ଆକାଶ ବକ୍ଷରେ

      ବୁଲନ୍ତି ତାଙ୍କ ପ୍ରଭାବେ।

ପଞ୍ଚଭୂତ ତତ୍ତ୍ଵେ   ଚାଲିଛି ପ୍ରକୃତି

      ବଦଳାଇ ପାଣିପାଗ,

ଭୌଗୋଳିକ ସୀମା ନେଇ ଭିନ୍ନ ଭିନ୍ନ

     ହୋଇଥାଏ ଏ ଭୂଭାଗ।

ଜୀବଜଗତର   ପାଇଁ ଲୋଡ଼ା ହୁଏ

     ପ୍ରାକୃତିକ ପରିବେଶ,

ବଞ୍ଚି ବଞ୍ଚାଇବା    ସୃଷ୍ଟିର ନିୟମ

    ସଭ୍ୟତାର ଏ ବିକାଶ।

ସଂସାର ସାଗରେ   ଭାସି ବୁଲୁଥାଏ 

      ଜୀବନ ହୋଇ ନଉକା,

ଶରୀର ଭିତରେ   ଜୀବାତ୍ମା ଓ ମନ

      ଆଣି ଦିଅନ୍ତି ମଉକା।

ଜୀବନ ନଉକା   ଚାଲେ ସ୍ବାଭାବିକ

    ମନ ହୁଏ ତା' ନାଉରୀ,

ଇଚ୍ଛା ମତେ ନିଏ   ଯେଉଁଠିକୁ ଚାହେଁ

    ଭାବର କାତକୁ ମାରି।

ଯାହାର ଯେମିତି   ହୁଅଇ ଭାବନା

    ସେମିତି ଚଳାଏ ନାଆ,

ଭବ ସାଗରର    ନାହିଁ ଥଳ କୂଳ 

    ନାଉରୀ ହିଁ ଏକା ସାହା।

ଜଗତେ ଜଞ୍ଜାଳ   ଲାଗିଥାଏ ସଦା 

     ଦରିଆ ମଧ୍ୟେ ସେ ଗଣ୍ଡ ,

ଭଉଁରୀ ତାହାର   ଟାଣି ନେଉଥାଏ

     ଶକତି ତାର ପ୍ରଚଣ୍ଡ।

ମନ ନାଉରୀ ଯେ  ତା' ବୁଦ୍ଧ ଜ୍ଞାନରେ

     ଚଳାଇ ନିଏ କୂଳକୁ,

ଜୀବନ ନଉକା   ରହେ ସୁରକ୍ଷିତ

     ପହଞ୍ଚେ ଠିକ୍ ବେଳକୁ।

ମନ ନାଉରିଆ   ହେଲେ ଅପାରଗ 

    ନାଆ ବୁଡ଼େ ଦୁଃଖ ଜଳେ,

ଉଦ୍ଧାରିବ କିଏ    ମଝି ଦରିଆରୁ

     ଆଣିବ ତାକୁ ଯେ କୂଳେ ?

ଭାବେ ବାନ୍ଧିଥିଲେ  ସେ ଭାବଗ୍ରାହୀଙ୍କୁ

     ଉଦ୍ଧାରି ଧରନ୍ତି ଆସି,

ବିପଦ ଆପଦ    ଘୁଞ୍ଚାଇ ଦିଅନ୍ତି

     ତାଙ୍କ ଶକତି ପ୍ରକାଶି।

ସେ ପରମଙ୍କ   ପାଶେ ମନ ଥାଉ

    ହେବାକୁ ଏ ଭବ ପାରି,

ସେ କଲେ ସୁଦୟା  ଘୁଞ୍ଚିଯାଏ ମାୟା

     ଜୀବନ ଯାଏ ସୁଧୁରି।


  

     


    

      


      

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy