ମୁକ୍ତି ମିଳିବ କେବେ ?
ମୁକ୍ତି ମିଳିବ କେବେ ?
ଶବ୍ଦ ଗଣ୍ଠିଲିରେ ସଜେଇ
ବଛା ବଛା ତିରଷ୍କାର
ଛଇଳ ଛବିଳ ଛପନ
ତରାଜୁ ଧରି ଉପହାର
ବିକ୍ରୋକ୍ତି ବଟକରାରେ
ମାପନ୍ତି ତଉଳନ୍ତି
ଇର୍ଷା କୁଠାର ଧରି
ତିଳ ତିଳ ହାଣନ୍ତି କାଟନ୍ତି
ଶବ୍ଦରେ ଶକ୍ତିରେ
ତୁଣ୍ଡରେ ମୁଣ୍ଡରେ
ତର୍କରେ ଚକ୍ରରେ
ହାକିମାତି କରେ ଫୁଲିଙ୍ଗ
ପୁରୁଷ ପୁଙ୍ଗବ ବୀର
ନାରୀ ମାନେ ସୀତା ସାବିତ୍ରୀ ହେଲେ ବି
ଯୁଗେ ଯୁଗେ ଦୁର୍ବଳା ମହିଳା
ନାରୀ ମାନେ ଗୀତା ଗାୟତ୍ରୀ ହେଲେ ବି
ଘରେ ଘରେ ଅବଳା ନିଃର୍ବଳା
ପୁରାଣ ବର୍ଣ୍ଣନା କରିଲେ ବି ନାରାୟଣୀ
ତୁ ଲୁହରେ ତିଆରି ମହମ ପିତୁଳା
ସିନେମାରେ ଯେତେ ଫାଇଟ୍ କଲେ ବି
ଗୁଣ୍ଡାମାନଙ୍କୁ ପିଟିଲେ ବି ବାୟାଣୀ
ତୁ ଅସରପା ଦେଖିଲେ ଛାନିଆ ବାତୁଳା
ଶ୍ଳୋକରେ ଯତ୍ରସ୍ୟ ନାର୍ଯ୍ୟ ପୂଜ୍ୟନ୍ତେ ତତ୍ର ରମନ୍ତେ ଦେବତା କହିବେ
କାମ ବେଳକୁ ସେବିକା ଅଙ୍କନାୟିକା
ଲକ୍ଷ୍ମୀ ସରସ୍ଵତୀ କହି କଥାରେ ଭୁଲେଇବେ
ଯୌତୁକ ନାଁ ରେ
କନ୍ୟା ଭୃଣ ହତ୍ୟା ନାଁ ରେ
ଗଣ ଦୁଷ୍କର୍ମ ନାଁ ରେ
ନାରୀ ଖାଲି ବଳିର ଛେଳି
ନାରୀ ଖାଲି ତୁଠ ପଥର କେଳି
ସହିବ ଅଳି ଅର୍ଦ୍ଦଳି ଘର ଜଜ୍ଞାଳ ସମ୍ଭାଳି
କଥା କଥା କେ ବିଧା ଖେଣ୍ଟିଆ ଗାଳି
ଟାହି ଟାପରା ଚିତ୍କାର ମାଡ ଗୋଇଠା ପାହାର
କାହିଁ କେଉଁଠି ବି ଦେଖୁନି
ନାରୀ ପୁରୁଷ ଉପରେ ଭାରି
ଲୁହରେ ତିଆରି ତା' ମନ କିଆରୀ
ଗରଳ ହଜମ କରିବାର କଳା କୌଶଳ
ତମାମ୍ ଦୁଃଖକୁ ହସି ହସି
ଶିଳରେ ବାଟଣ ବାଟିବା ପରି
ପେଷିନିଏ ସବୁ ସମୂଳ
ପିଲାର ଖୁସିରେ ବାଲିସ୍ତୁପ ପରି ଫୁଟୁଥିବା
ମା' ମାନେ ମାରନ୍ତି ଆକାଶ ଛତା
ସ୍ୱାମୀର ଖୁସିରେ ପହଞ୍ଚି ଯାଆନ୍ତି
ସମ୍ମାନୀତ ପେଣ୍ଠସ୍ଥଳୀ ପଥୁରିଆ ମନ ଚଟାଣକୁ ଡେଇଁ ଆଡେଇ ଲତା
ଅଳ୍ପରେ ସନ୍ତୁଷ୍ଟ ନାରୀ ଜଗତ
କଷ୍ଟରେ ବି କରୁଣା
ଦୁଃଖରେ ବି ଝରଣା
ସମସ୍ୟାରେ ବି ସଣ୍ଠଣା
ରୋଗରେ ବି ମସିଣା
ବୈରାଗ୍ୟରେ ବି ପ୍ରେରଣା
ଗାଳି ରେ ବି ମନ୍ତ୍ରଣା
ମାଡ଼ରେ ବି ସୁମରଣା
ଟାହି ଟାପରା ପରେ ବି ସହିନିଏ ଯନ୍ତ୍ରଣା
ଆଭୂମ ପ୍ରଣାମ କରୁଛି ନାରୀଶକ୍ତିଙ୍କୁ
ନତ ମସ୍ତକ ରଖି କେବଳ ପଚାରୁଛି
ଏ ଗୁଣର ସ୍ରୋତସ୍ୱିନୀ
ଏ ଜାତିର ମନ୍ଦାକିନୀ
ଏ ସଭ୍ୟତାର କୁମୁଦିନୀ ମାନଙ୍କୁ
ମୁକ୍ତି ମିଳିବ କେବେ ???
