ବିଶ୍ଵାସ
ବିଶ୍ଵାସ
ବଦଳି ଯାଇଛି ସମୟଟା ଯଦି
ଅଭ୍ୟାସ ବି ବଦଳିଛି,
ତଥାପି ଏ ଯାଏ କିଛିଟା ବିଶ୍ୱାସ
ନ ବଦଳି ରହିଅଛି।
ଛୁଆର ମୁଣ୍ଡରୁ ମାଆର ପଣତ
କେବେ ଯାଇନାହିଁ ଉଡି,
ସେମିତି ସୁରୂଜ ସକାଳେ ଉଉଁଛି
ସଞ୍ଜକୁ ଯାଉଛି ବୁଡ଼ି।
ବୃକ୍ଷଟି ଉପରେ ପକ୍ଷୀର ବିଶ୍ଵାସ
ସବୁଦିନେ ଅଛି ରହି,
ସେମିତି ସାଗର ଛାତିରେ ମିଶିବ
ନଦୀଟି ଯାଉଛି ବହି।
ଫୁଲ ବି ଫୁଟୁଛି ଭଅଁର ଆସୁଛି
ଏଠି ବି ଅଛି ବିଶ୍ୱାସ,
ଦୂର ଆକାଶରେ ଜହ୍ନକୁ ଦେଖିଲେ
କଇଁ ଓଠେ ଫୁଟେ ହସ।
ଋତୁପରେ ଋତୁ ଆସିବ ଧରାକୁ
ଏ ବିଶ୍ଵାସ ମଧ୍ୟ ଅଛି,
ଏ ମର୍ତ୍ତ୍ଯ ମଣ୍ଡଳେ ଯିଏ ଜନ୍ମନ୍ଯନ୍ତି
ମୃତ୍ୟୁ ମୁଖେ ପଡିଥାନ୍ତି ।
ପାଣି ମେଣ୍ଟାଉଛି ଶୋଷ ଏଠି ଯଦି
ନିଆଁରେ ପ୍ରସ୍ତୁତ ପାକ,
ସେଭଳି ରହିଛି ଚାଷୀର ବିଶ୍ଵାସ
ନିଶ୍ଚେ ହସିବ ତା' କ୍ଷେତ।
ଖଣ୍ଡେ ରୁଟିଖାଇ ଦାଣ୍ଡେ ପଡିରହି
ବିଶ୍ଵାସେ କୁକୁରଟିଏ,
ସୁରକ୍ଷା ଦେଉଛି ମାଲିକକୁ ସଦା
ତା' ଜୀବନ ଥିବା ଯାଏ।
ସର୍ବେ ଆତଯାତ ବିଶ୍ଵାସରେ ଏଠି
ବିଶ୍ଵାସେ ମିଳଇ ହରି,
ବିଶ୍ଵାସ ବିହୁନେ ଜୀବନ ଅଧୁରା
ଲାଭ ନାହିଁ ତର୍କ କରି।
ବିଶ୍ଵାସ ହେଉଛି ଚିରନ୍ତନ ସତ୍ୟ
ବାସ୍ତବ ସାସ୍ଵତ ପ୍ରେମ,
ପ୍ରେମ ଆଜି କାହିଁ ପ୍ରତାରଣା ସାଜେ
ହରାଏ ନିଜସ୍ଵ ଧର୍ମ ?
ବିଶ୍ଵାସ କଅଁଳ ପ୍ରଜାପତିଟିଏ
ଧରିଲେ ସେ କଷ୍ଟପାଏ,
ଛାଡ଼ିଦେଲେ ତାକୁ ସମ୍ପର୍କ ଛିଡାଇ
ବହୁଦୂରେ ଚାଲିଯାଏ।
ବିଶ୍ଵାସ ସବୁଠିଁ ରହୁଛି ତ ହେଲେ
ଜଣକଠିଁ ରହୁନାହିଁ,
ସେହି ଶ୍ରେଷ୍ଠ ଜୀବ ମଣିଷ କାହିଁକି
ବିଶ୍ଵାସେ ବିଷ ଦିଅଇ ?
