ବାକି ରହିଗଲା
ବାକି ରହିଗଲା
ଜୀବନ ପଥରେ ବାଟ ଚାଲୁ ଚାଲୁ
ସପନ ମାନଙ୍କ ଭିଡ଼
ବାକି ରହିଗଲା ସୁନେଲୀ ସପନ
ପ୍ରତାରଣା ର ତ ଏ ଗଡ଼ |
ବାକି ରହିଗଲା ଆଦର୍ଶ ଭାବନା
ରୂପ ନେଇ ପାରିଲାନି
ସେ ଭାବନା ମୋର ମୁରୁଖ ପଣିଆ
ସର୍ବେ କାଳେ କହିଲେଣି |
ବାକି ରହିଗଲା ଆତ୍ମାର ଡାକରା
ବାଧକ ମାନଙ୍କ ଭିଡ଼
କେବେ ଅର୍ଥ ବାଧା କେବେ ପରିସ୍ଥିତି
ମନେ ଉଠୁଥାଏ ଝଡ଼ |
ଜୀବନକୁ ଯେବେ ବଗିଚା ଟେ ଭାବି
ସଜାଇବାକୁ ଭାବିଲି
ଆପଣା ପରର ସଂଜ୍ଞା ସରହଦେ
ନିଜେ ମୁଁ କ୍ଷତାକ୍ତ ହେଲି |
ପରିବାର ଟିକୁ ସ୍ୱତନ୍ତ୍ର କରିବି
କେତେ ସ୍ବପ୍ନ ଦେଖୁ ଥିଲି
ବାକି ରହିଗଲା ସପନ ମୋହର
ଭିତରେ ଖାଲି ଜଳିଲି ।
ସ୍ନେହ, ପ୍ରୀତି ଦେଇ ପ୍ରେମ ପରଶି ଯେ
ମାଟିରେ ବୈକୁଣ୍ଠ ସ୍ବପ୍ନ
ବାକି ରହିଗଲା ଅଧା ଗଢ଼ା ହୋଇ
ବେଦନାରେ ସିକ୍ତ ମନ |
ମନର ଅଗଣା ବେଦନା ମାଖା ଯେ
ଖୋଜି କାହାକୁ ପାଏନି
ଅକୁହା ବେଦନା ଅଶ୍ରୁ ସିକ୍ତ ମନ
କାହାକୁ ବା ଦେଖାଇବି ।
ବାକି ରହିଗଲା ମଣିଷ ଜୀବନ
ସାର୍ଥକତା ର ସପନ
ଭାବନାରେ କେତେ ସ୍ମୃତି ସଇକତ
କେତେ ବା ସନ୍ତୋଷ ଧନ |
ଜୀବନଟା ପରା ବାକି ଖାତାଟିଏ
ପଇଠ ନାମ ନିଏ ନି
ହେଲେ ଆମେ ପରା ଏ ସୃଷ୍ଟିରେ ଶ୍ରେଷ୍ଠ
ଜୀବନ କି ବୁଝିବାନି !
ବାକି ରହିଗଲା କେତେ ଯେ ରାଗିଣୀ
ସୁର, ତାଳ, ଲୟ ହଜେ
ବାକି ରହିଗଲା କେତେ ଛିଣ୍ଡା ମନ
ଯୋଡ଼ିବାର ଇଚ୍ଛା ଖୋଜେ l
ଜୀବନ ଚାଲିଛି ତା ନିଜ ରାସ୍ତାରେ
ଲାଗୁଛି ଅନେକ ବାକି
ଶମନ ର ଚିଠି କେବେ ପହଞ୍ଚିବ
ସେ କଥା କହି ହେବ କି ?
ବେଳ ଥାଉ ଚାଲ ଆମ ବାକି ଖାତା
ସତ୍କର୍ମ ରେ ଭରିଦେବା
ମଣିଷ ଜୀବନ ସାର୍ଥକ ହୋଇବ
ସନ୍ତାପ ଯେ ନ କରିବା |
ବାକି ଜୀବନକୁ ବାକି ହତାଶାରେ
ଆଉ ଭିଜାଇବା ନାହିଁ
କର୍ମ, କର୍ତ୍ତବ୍ୟର ଜୀବନ ଭିତରେ
ଖୁସୀ ଯେ ସାଉଁଟି ବଇଁ |
ବାକି ରହିଗଲା ସେ ନେଇ ଯେ ଆଉ
ସନ୍ତାପ କରିବା ନାହିଁ
ଯେତିକି ଆୟୁଷ ବାକି ରହିଅଛି
ପିୟୁଷ ଢ଼ାଳିବା ଭାଇ ।
