STORYMIRROR

Sailendra Jena

Tragedy

2  

Sailendra Jena

Tragedy

ଅପ୍ରାପ୍ତ

ଅପ୍ରାପ୍ତ

1 min
13K



ମୁଁ ଆଜିକାଲି ଭାଆରି ଘାଣ୍ଟି ହଉଚି

ଛକାପଞ୍ଝା ଦେଇ ଚାଲିଯାଇଥିବା ପିଲାଦିନକୁ

ନଈ ତୁଠ, ପଳାଶ ବଣ ଓ

କଣ୍ଟେଇ କୋଳି ବୁଦାରେ ଖୋଜୁଛି।


ଖୋଜୁଛି, ରାତିର ସେ ଭୋକିଲା ଅନ୍ଧାରକୁ

ତା ଭିତରେ ମୋ ସ୍ବପ୍ନ ଭିତରକୁ

ଧସେଇ ପଶୁଥିବା ଆଉ ଛାତି ଉପରେ ବସି

ମୋ ମୁଣ୍ଡକୁ ଚୋବେଇ ଯାଉଥିବା ସୈତାନକୁ।


ଏବେବି ଝଲସି ଯାଏ ଦର୍ପଣରୁ

ଛିଟିକି ପଡ଼ିଥିବା ଖରାର ଛାଇ ପରି

ସେ ଓଠ, ସେ ଆଖି, ସେ ପାଦ, ପାଦର ପାଉଁଜି,

ନାଁଁଇ ନାଇଁ, ସେସବୁକୁ ଖୋଜୁନି ଆଉ

ସେ ସବୁ ଘୋର ପାପ ବୋଲି, ଏଇ ଏଇନେ

ଫେରେଇ ନଉଛି ଏସବୁ ଶବ୍ଦଙ୍କୁ।


କାଇଁ କୁଆଡ଼େ ଗଲା ସେ ରାସ୍ତାଟି,

ଭାରି ଚଗଲା, ଭାରି ଖସଡ଼ା

ମୋତେ ନେଇ ଠିଆ କରେଇ ଦେଇଥିଲା

ପେଣ୍ଡାଲ ଉପରେ, ମୁହଁରେ କଳଙ୍କ ବୋଳି!


ମୁଁ ସିଆଣିଆ ବୋଲି ସିନା

ଚଟାପଟ୍ ମୁଖା ପିନ୍ଧି ଘୋଡେଇ ଦେଲି ମୁହଁକୁ,

ନହେଲେ ଆଜି ଏ ଜାଗା କିଏ ନା ମୁଁ କିଏ!


ଏବେ କଣ ନାହିଁ ମୋ ପାଖରେ!

ଘରଣୀ କହେ କିଛି ନାହିଁ ମୋ ପାଖରେ

ନା ଧନ, ନା ରୂପ ଯଉବନ!

ଆହାଃ, କଣ ଦେଖି ବିଚାରୀ ମୋ ହାତ ଧରିଥିଲା!


ଏବେ ମୁଁ ବୋକା ଲୋକଟେ ପରି

ଠିଆ ହେଇଛି, ମୋ ଚାରିପଟେ

ଅପ୍ରାପ୍ତ ବସ୍ତୁମାନ ସୁନା ହରିଣ ପରି

ଧାଉଁଛନ୍ତି ଏଣେ ତେଣେ,

ଅଥଚ ମୁଁ ଖୋଜୁଛି, ଗଲା ଦିନର

ଅଲୋଡ଼ା ଜିନିଷ ସବୁକୁ, ଅଫେରା ମୁହୂର୍ତ୍ତମାନଙ୍କୁ

ସତରେ, ମୁଁ ଆଜିକାଲି ଭାଆରି ଘାଣ୍ଟି ହଉଚି।


Rate this content
Log in

Similar oriya poem from Tragedy