କ୍ୟାଣ୍ଡେଲ
କ୍ୟାଣ୍ଡେଲ
ଏଇଟି ମୋ ଅନ୍ତିମ ମୂହୁର୍ତ୍ତ
ଗରମ ଲୁହ ଢାଳି, ଅନ୍ଧାରରେ
ମିଶିଯିବା ବେଳ ।
ଚାରିପାଖରେ ଘନ ତମସା ମୃତ୍ୟୁର
ମଝିରେ ଶିଖାଟିଏ ନାଚୁଥାଏ
ମୁଁ ତା ଡାକରେ ଅସ୍ଥିର ପତଙ୍ଗ ।
କିନ୍ତୁ ଅନ୍ଧାର ଯେ ଅକାତ ଗଭୀର
ମିଳେନାହିଁ ଥଳକୂଳ ଏଠି
ତା ସହିତ ଢେଉ ସବୁ ଅଥୟ ଆତୁର?
ମୁଁ ଆସିଥିଲି କୀଟ ବେଶେ
ମୁକ୍ତିର ଆଲୋକରେ ଝାସ ଦେବାପାଇଁ
ସେବେଳେ ପଡିଗଲି ମୃତ୍ୟୁର ଅନ୍ଧାର ହାବୁଡ଼େ ।
ଏ ଅନ୍ଧାର ଶୋଷି ନିଏ ସ୍ମୃତି ସବୁ
ଇନ୍ଦ୍ରଧନୁ ପଛେ ଧାଇଁବାର
ପିଲାଦିନ ଯୌବନ ସବୁ ଏକାକାର ।
ନିର୍ବାଣର ମୋହ ଦୁନିଆ ଦାଣ୍ଡରେ
କରେ କେତେ ଲୋକହସା, ବଞ୍ଚିବାକୁ ଦିଏ ନାହିଁ
ମରିବାକୁ ବାଟ ଛାଡେ ନାହିଁ ।
ଏହି ଅସ୍ତମିତ ଆଲୋକ ପର୍ବରେ
ଆସି ଥରେ ଦେଖିନିଅ ମୋତେ
ନିସନ୍ଦେହ, ତୁମର ହୃଦୟ ଯେ ହେବ ଆଲୋକିତ ।
