STORYMIRROR

Shashanka sekhar Ray

Abstract Thriller

4  

Shashanka sekhar Ray

Abstract Thriller

ଆତ୍ମସମୀକ୍ଷା

ଆତ୍ମସମୀକ୍ଷା

1 min
208

ଆକାଶେ କଳାହାଣ୍ଡିଆ ମେଘ ଆସିଲେ

ବାପା ମୁଣ୍ଡରେ ହାତ ଦିଅନ୍ତି

ଏସନ ବି ଛପର ହୋଇପାରିଲାନି

ପୁରୁଣା ଚାଳଘର ଖଣ୍ଡିକ ।

ବୋଉ ଗାଳିଦିଏ ଭାରି ବର୍ଷାକୁ

ନିଆଁଲଗା ବରଷା କେଉଁଠି ଥିଲା କେଜାଣି

ଭଷାଇ ନେଲା ମୋ ସବୁ ସ୍ଵପ୍ନକୁ

ଛଳ ଛଳ ଆଖିରେ ଲୁହ ଭରି

ଲାଗିଯାଏ ଥାଳି କଂସା ବାଲତି ବସାଇ

କଣା ଚାଳବାଟେ ଖସୁଥିବା 

ଟୋପା ଟୋପା ବର୍ଷାପାଣିକୁ ଉଝାଳି ।

ଭଙ୍ଗା ଚାଳଘରେ ବି 

ଆମେ ବେଶ ନିରାପଦ ମଣୁ

ବୋଉର ପଣତକାନି ଆଉ 

ବାପାଙ୍କର ଦମ୍ଭିଲା ଛାତିର ଛତା ତଳେ ରହି ।

ବୋଉ ଆଖିରେ ନିଦ ନ ଥାଏ

ସବୁ ଜଞ୍ଜାଳକୁ କାନିରେ ଗଣ୍ଠି କରି

ଗୋବର ମାଟି ଲିପୁଥାଏ

ମାଟି ଖସିଯାଇଥିବା କାନ୍ଥରେ 

ଅଭିମାନେ ବାପାଙ୍କ ଛାତିରେ 

ମୁଣ୍ଡ ଗୁଞ୍ଜି କହୁଥାଏ

କେଉଁଦିନ ଦୁଃଖ ଆମର ଯିବ ଘୁଞ୍ଚି ।

ଭାରି ମନେ ପଡେ 

ଯେବେ ଆକାଶେ କଳାହାଣ୍ଡିଆ ମେଘ ଉଠାଏ

ଦଲକାଏ ଶୀତଳ ସ୍ମୃତି ବିଞ୍ଚିଦିଏ

ପବନ ହୋଇ ମୋ ଝରକା ଫାଙ୍କେ ।

ବାପା ନାହାଁନ୍ତି ଆଜି ସତ

ନାହିଁ ଆଜି ପୁରୁଣା ଭଙ୍ଗା ଚାଳଘର

ଛପରର ଚିନ୍ତା ବର୍ଷାର ଭୟ

ବୋଉର ଛଳଛଳ ଆଖିର ଲୁହ

ଅଭିମାନ କୋହ ଭରା ଅର୍ଦ୍ଦଳୀ

ସବୁକିଛି ବଦଳାଇ ଦେଇଛି ସମୟ 

ମାର୍ବଲ ଛାତ ଘରେ ରହି ବି

ମୁଁ ଆଜି ଭିଜୁଥାଏ କାହିଁ

ଗୋଟାପୁଣି ବର୍ଷାରେ 

ଯଦିଓ ବାପାଙ୍କ ଭଳି ଛପର ଚିନ୍ତା ନାହିଁ ମୁଣ୍ଡେ 

କି ମା'ଙ୍କୁ ଆଉ ଫଟା କାନ୍ଥେ ଗୋବର ମାଟି

କାଦୁଅ ଲଦିକାକୁ ପଡୁନି ।

ଫର୍ଚା ଆଲୋକେ ଦେଖୁଛି ମୁଁ ସ୍ପଷ୍ଟ 

ଝାପସା ଝାପସା ଅନ୍ଧାରିଆ ଦିନଗୁଡିକୁ 

ଯାହାଥିଲା ବେଶ ଭଲ ଥିଲା

କେତେ ସରଳ ଜୀବନ୍ତ ଥିଲା ଅନୁଭୂତି ।

ପୁରୁଣା ସ୍ମୃତିକୁ ଫ୍ରେମଟିଏ କରି

ଟଙ୍ଗାଇ ନିଜ ଦୁଆର ଵନ୍ଧେ

ନିଜକୁ ନିଜେ ମୁଁ ଖୋଜିହୁଏ

ବାରମ୍ବାର କାହିଁ 

ବିଜୁଳି ଘଡଘଡିଟିଏ ମାରିଲେ 

ହଠାତ ଚମକି ଉଠେ ମୁଁ

କଳା ହାଣ୍ଡିଆ ମେଘଭରା ଆକାଶଟିକୁ ଦେଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract