ଶୀତ ରାତିର ସ୍କେଚ
ଶୀତ ରାତିର ସ୍କେଚ
ମହନଗରୀର ରାତ୍ରୀ
ଅଳସ ଭାଙ୍ଗେ
ଫୁଟପାଥ ଭିକ୍ଷୁକ ଆଉ
ଶିଶୁ ଶ୍ରମଜୀବିର
ଛିଣ୍ଡା କମ୍ବଳ ତଳେ ,
ମହନଗରୀ ର ଅନେକ ଯାତନା
ପାଲଟି ଯାଏ ନିଶଚୁପ ପ୍ରହରୀ
ସବୁ ପ୍ରାଚୁର୍ଯ୍ୟ ର ଗନ୍ତାଘର କୁ
ଅତି ସନ୍ତର୍ପଣେ ଯତନେ ସାଇତିବା ପାଇଁ ।
ରମ୍ୟ ସୌଧ କୋଳେ
ବିଷାଦର ଚିହ୍ନ ନାଇଁ
ଅଳସୀ କନ୍ୟା ଏଠି ସ୍ବପ୍ନ ଦେଖେ
ଘୁମନ୍ତ ଚକ୍ଷୁରେ ,
ରାତ୍ରୀ ଏଠି ରଙ୍ଗୀନ ହୁଏ
ସୁରା ଆଉ ସାକୀର ମେଳରେ
ମତୁଆଲା ମୁହୂର୍ତ୍ତ ମାନଙ୍କରେ
ରାତ୍ରୀ ଏଠି ଜମିଯାଏ
ଶୀତ ତାପ ନିୟନ୍ତ୍ରିତ
ପାର୍ଟି ଆଉ କ୍ଳବ ର ଆସରେ ।
ଟ୍ରେନ ପ୍ଲାଟଫର୍ମ ବାହାରେ
ଅନେକ ଅନ୍ଧାର
କୁହୁଡି ଜମାଟ ବାନ୍ଧେ
ଟ୍ରେନ ଆସେ ଆଉ ଯାଏ
କୋଳାହଳ ବଢେ ପୁଣି ଥମିଯାଏ
ତାପରେ ସବୁ ଚୁପଚାପ
ଗୋର୍ଖା କଣ୍ଠୁ ଶୁଭିଯାଏ
ହୁସିଆର , ସାବଧାନ ,ଏକ -ଦୁଇ- ତିନ
ମହନଗରୀ ର ଶୀତରାତି
ଭରିଦିଏ ଅଜସ୍ର ଉତ୍ତାପ ଅଭାବୀ ସଂସାରେ ,
ସଂକୀର୍ଣ୍ଣ ସ୍ଥାନରେ ଖୁନ୍ଦାଖୁନ୍ଦି ହେଇ ଶୋଉ ଶୋଉ
ଶୀତ ଚାଲିଯାଏ ଶୀତର ବାଟରେ ,
ଦିବସର ସବୁ କଳ୍ପନା ଜଲ୍ପନା
ତେଲ ଲୁଣ ସଂସାରର ଚିତ୍ର
ଧୀରେ ଧୀରେ ଫିକା ପଡ଼ିଯାଏ
ଶୀତରାତି ସ୍ବପ୍ନ ଭରେନା
ରାସ୍ତା, ବତୀ ଖୁଣ୍ଟ ଆଉ ଝୁମ୍ପୁଡି ଘରେ
ବାସ କରୁଥିବା ପ୍ରାଣୀଙ୍କ ମନରେ ।
ଶୀତରାତି କାହାପାଇଁ
ବିଳାସ ଆସର
ଆଉ ପୁଣି କାହାପାଇଁ
ଶୀତରେ ଠକ ଠକ ଥରୁଥିଲା ବେଳେ
ଏକ ପ୍ରଚଣ୍ଡ ପ୍ରହାର ,
ଅଥଚ ନୀରବରେ ବିନା ପ୍ରତିବାଦରେ
ସିଏ ଦଣ୍ଡ ଭୋଗିଯାଏ
ଦୋଷ ନାହିଁ ଯାର ।