କାଗଜ ଫୁଲର ପ୍ରେମିକ
କାଗଜ ଫୁଲର ପ୍ରେମିକ
ହଃ, କାଗଜ ଫୁଲ!
ଅସରପା ଗୋଟେ ଚଢେଇ ନା
ଏଇଟା ଗୋଟେ ଫୁଲ!
ଫୁଟାଣି ଦେଖ
ଗୋଲାପ ହେଇଥିଲେ
ଆହୁରି କେତେ ଛଇ କାଢ଼ିଥାନ୍ତା
ଦେହରେ କଣ୍ଟା ଅଛି ବୋଲି ।
ଦେବମୟ ସହରରେ
ଦ୍ଵିପ୍ରହର ଖଇ ଫୁଟା ଉମ୍ଭେଇ ଭିତରେ
ରୂପସୀ ଲାଜ ଶରମ ବିକି
ଖୋଲିଦେଇଛି ଅସରା ରୂପର ପସରା।
ଦେବତା ଚାହିଁଲେ
ଥାନ ଟିକିଏ ମିଳିବା କିବା ବଡ଼କଥା
ସିନ୍ଦୁର ଟୋପେ, ଶଂଖା ଦିପଟ ପିନ୍ଧି
ଅହଲ୍ୟାପଣରୁ ମୁକୁଳି ବସନ୍ତା ରତନବେଦୀରେ!
କିନ୍ତୁ, ମୁଁ କାହିଁକି ଏଠି ଠିଆ ହେଇଛି
ମୋର କି ଆଶା ଅଛି, କି ମୋହ ଅଛି
ତାଆର ଛଟକ ଦେଖି
ମତେ କି ମିଳିବ ସ୍ୱର୍ଗ ନା ମୋକ୍ଷ !
ନିଜକୁ ପଚାରେ ମୁଁ
ଆରେ ତୁ ଆଗକୁ ଯାଉନୁ କିଆଁ
ତୋର ପରା ଯିବାକୁ ଅଛି ବହୁଦୂର&
nbsp;ଦିଗବଳୟ ଡେଇଁ
ଅଟକିଲୁ କଣ ତା ଦୁଃଖରୁ ଚୂନକାଳି ଆଣି
ମୁହଁରେ ତୋ ବୋଳିବା ପାଇଁକି ?
ସିଏ ବି ଗାଳି ଦିଏ
ଛତରା, ଅଲାଜୁକ, ଏମିତି ଚାହିଁଛୁ କିଆଁ
କାଗଜ ଫୁଲ କେବେ ଦେଖିନୁ କି
ସାହସ ଅଛି ତ ତୋଳିକି ଦେଖା, ଛୁଇଁକି ଦେଖା
କେମିତି ଜଳିଯିବୁ ଠିଆ ଠିଆ।
ସତରେ, ମୁଁ ଓଲା
କଣ ପାଇଁ ଠିଆ ହେଇଛି ଥାଳ ଧରି,
ଏ ସଭ୍ୟ ସଂସାରରେ ଅସଭ୍ୟ ଗାଉଁଲି ପରି
ପାଖରେ ତ ନାହିଁ ଫୁଟା ପାହୁଲା
ନା ଏଠୁ କିଛି ପାଇବାର ଅଛି ସମ୍ଭାବନା !
ଧେତ୍, ମୁଁ ଯୋଗୀ କକୁଆଡ଼େ ଆସିଥିଲି,
ଅଟକି ଯାଇଛି ଏ କେଉଁ ଗଳିରେ
ଦାରୁଣ ଋତୁରେ କାଗଜ ଫୁଲର ରୂପରେ
ମତୁଆଲା ପାଗଳ ପ୍ରେମିକ ମୁଁ
ପଡ଼ି଼ଅଛି ତା ଦୁଆରରେ !