କବିତା ଦିବସ
କବିତା ଦିବସ
କବିତା ଦିବସରେ
ସବୁ କବିଙ୍କୁ ପ୍ରଣାମ।
କବି ଈଶ୍ବର
ଈଶ୍ୱର ସର୍ବ ବିଦ୍ୟମାନ
ଯୁକ୍ତିରେ ସମସ୍ତେ କବି।
କିଛି କବି, କବିତାର ପ୍ରିୟ
ଢେର୍ ମାନ ସମ୍ମାନ ତାଙ୍କର
ଆଉ କିଛି ରାସ୍ତାର ପଥର ।
ଯିଏ ଆବୋରି ପାରେନି ଶବ୍ଦଙ୍କୁ
ଯିଏ ଉଡେଇ ପାରେନି ନେତ
ଦେଉଳ ଚୂଡ଼ାରେ,
ଦିଅଁ କିପାଇଁ ଢାଳନ୍ତା ଅସରପି
ଆଜିର ଏ ଅମୃତ ବେଳାରେ ।
ଜଞ୍ଜାଳ ଢେକିଦିଏ ଶବ୍ଦ ସବୁ
ଫାଇଲ ଲୁଚେଇ ଦିଏ
ମୁକ୍ତିର ଠିକଣା,
ମୁଣ୍ଡ ଝାଳ ତୁଣ୍ଡେ ମାରି ଜୀଉଁ ଜୀଉଁ
କବିତାର ଝର ବହିଯାଏ ଅଜଣା ଦେଶକୁ
କବି ହୁଏ ବାଟବଣା ।
ନିରବ କ୍ଷଣମାନ ହୁଅନ୍ତି ବାଚାଳ
ବହୁଯୁଗୁ କଲମରୁ ସ୍ୟାହି
ହୋଇଅଛି ଶେଷ,
ପଥରର ଛାତି ଚିରି
କେବେ କେବେ ଫୁଟେ ବଣମଲ୍ଲୀ
ଫୁଟି ପୁଣି ଝଡିଯାଏ, ପାଏନା ସେ
ସେନେହ ପରଶ,
ସେ କବିଙ୍କୁ ସମର୍ପିତ
ଏକୋଇଶି ମାର୍ଚ୍ଚର କବିତା ଦିବସ