ମୋହ
ମୋହ
ମନେ ନାହିଁ କେଉଁ ଅମୃତ ବେଳାରେ
ଗଢି ସମ୍ପର୍କର ବ୍ୟୁହ
ଆପଣା ପଣରେ ହୃଦୟରେ ମୋର
ଭରିଦେଲ ମହା ମୋହ ।
ଅଭିମନ୍ୟୁ ପରି କିଛି ନ ବିଚାରି
ଡେଇଁଗଲି ସୀମାରେଖା
ଭାବନାର ପଥ କରିଲି ଉନ୍ମୁକ୍ତ
ଜାଳିଦେଲ ପ୍ରୀତି ଶିଖା ।
ସ୍ୱାର୍ଥର ବନ୍ଧନ ହୁଏ ନାହିଁ ଟାଣ
ପାରିଲିନି ମୁହିଁ ଜାଣି
ଛଳନା ଜୁଇରେ ଦଗ୍ଧ ହେବାପରେ
ହୃଦ ହୁଏ ମୋର ହାଣି ।
ସପନ ହାଟରୁ ସୁଖ ପିଆଲାରୁ
ଅମୃତର ଆଶା ନେଇ
ଯନ୍ତ୍ରଣାର ବିଷ ଆକଣ୍ଠ ପିଇଲି
ସଞ୍ଜିବନୀ ନାମ ଦେଇ ।
ଅଭିମାନ ,ଈର୍ଷା, ଅଭିଯୋଗ ଭାଷା
ବୁଝିବକି ହୃଦହୀନ
ଆନ୍ତରିକତାର ବାସନା ଶୂନ୍ୟତା
ଭାଙ୍ଗିଦିଏ ଆଜି ମନ ।
କଳଙ୍କିତ ତା'ର ଇତିହାସ ପୃଷ୍ଠା
ପଢ଼ିଥିଲି ଯେଉଁଦିନ
ହାତ ପରଶରେ ଦେବତାର ରୂପ
ଆଙ୍କିଥିଲି ତତ୍ କ୍ଷଣ ।
ବଦଳାଇ ରଙ୍ଗ ସଦା ରହି ସଙ୍ଗ
ନୂଆ ପରିଚୟ ବାନ୍ଧି
ମନ ପ୍ରାଣ ହୃଦେ ଅନାବିଳ ଭାବ
ଭାବିଥିଲି ଦେବି ଛନ୍ଦି ।
ବିଶ୍ୱାସ ଭରସା ଜୀଇଁବାର ନିଶା
ତୁଟି ତୁଟି ଯାଏ ଆଜି
ପ୍ରୀତିର ପାଉଣା ହୋଇଗଲା ଊଣା
ପାଉନାହିଁ ଖୋଜି ଖୋଜି ।
ସ୍ୱାଭିମାନୀ ମନ ବୁଝେନା କଷଣ
ହୃଦୟରେ ଜାଗେ କୋହ
ପରାଜିତ ହୋଇ ଜୀବନକୁ ଚାହିଁ
ଆଖି ଝରାଉଛି ଲୁହ ।
ସେଇ ଜହ୍ନ ଅଛି ସେଇ ରାତି ଅଛି
ନାହିଁ ଅତୀତର ଖୁସି
ସମ୍ପର୍କର ଗୀତି ଜୀବନରୁ ଇତି
ଭାଗ୍ୟ ଯାଇଅଛି ରୁଷି ।
କହିବ କି ଥରେ ପ୍ରଶ୍ନ ମୁଁ ପଚାରେ
ଅକାରଣେ କାହିଁ ପାଇଁ
ହୃଦ ମରୁ ପରେ ପ୍ରୀତି ସିଞ୍ଚିଦେଇ
ଅଚିହ୍ନା ମୁଁ ଦେଲ କହି ।
ଆଖି ଖୋଜୁଅଛି ତୁମକୁ ଦେଖିବ
ହାତ କହେ ଛୁଇଁଯିବ
ନୀରବତା ଡେଇଁ ଓଠ କହେ କାହିଁ
ଅଧିକାର ମାଗିନେବ ।
ସ୍ମୃତିର ଫରଦ ଅକୁହା ଦରଦ
ଲେଖିବାକୁ ଶବ୍ଦ ହାରେ
ଅମାନିଆ ଭାବ ଭୁଲେନା ସ୍ଵଭାବ
ହୃଦୟକୁ ଓଦା କରେ ।
ପ୍ରତୀକ୍ଷାର ଅନ୍ତ ହେବ କି ଜାଣେନା
ଆଶା କିନ୍ତୁ ତୋଳେ ଘର
କାହିଁକି ଦୂରେଇ ପାରେନା ଜୀବନୁ
ଦ୍ବନ୍ଦ୍ୱ ଜାଗେ ବାରବାର ।
ଧୈର୍ଯ୍ୟର କୁହୁଡି ଉଭେଇଲା ପରେ
ସମୟର ସ୍ରୋତେ ଭାସି
ଅସ୍ତିତ୍ୱ ବିହୀନ ସମ୍ପର୍କର ମାନ
ପାଇଯିବ ନିଶ୍ଚେ ଫାଶୀ ।
ଝୁରିବ ତୋ ମନ ଝୁରିବ ପରାଣ
ହୋଇଯିବୁ ଅସମର୍ଥ
ସେଦିନ ବୁଝିବୁ ସମ୍ପର୍କର ମୂଲ୍ୟ
ହୃଦୟରେ ଭରା କ୍ଷତ ।
