ସମ୍ପର୍କର ସ୍ବର
ସମ୍ପର୍କର ସ୍ବର
ତମ ଓ ମୋ ଭିତରେ ସମ୍ପର୍କ
ପାପ ଓ ପୁଣ୍ୟର ନୁହେଁ
ଛାଇ ଓ ଆଲୁଅର ନୁହେଁ
କିମ୍ବା ଲାଭ ଓ କ୍ଷତିର ତ ନୁହେଁ ।
ତୁମ ଓ ମୋ ଭିତରେ ସମ୍ପର୍କ
ଅତି ନିବିଡ ଅତି ଘନିଷ୍ଠ
ଠିକ୍ ଯେମିତି ଦେହ ଓ ଛାଇର
ଆଖି ଓ ଲୁହର
ଅବା ନଦୀ ଓ ସ୍ରୋତର ।।
ଆଜି କିନ୍ତୁ ଅସ୍ପଷ୍ଟ ଲାଗୁଛି ସମ୍ପର୍କର ସ୍ବର
ହୁତୁହୁତୁ ଜଳୁଛି ଜୀବନଟା ଏଠି
ଠିକ୍ ଯେମିତି ଅଧାପୋଡା କାଠ ଖଣ୍ଡ ଭଳି
ଦରୋଟି ନିଆଁରେ ।
ଲାଜେଇ ଜହ୍ନଟା ମୁହଁ ଲୁଚାଉଛି
ଅଳସୀ ସଂଜର ରୂପା ଓଢଣୀରେ ,
ମେଘଖଣ୍ଡ ଲୁଚକାଳି ଖେଳୁଛି
ଅସ୍ଥିର ବଉଦ ଫାଙ୍କରେ
ଆକାଶର ପ୍ରସସ୍ଥ ଛାତିରେ ।।
ଚାରିଆଡ ଖାଁ ଖାଁ ଭାରି
ନିଛାଟିଆ ନିଃସଙ୍ଗ ମୁହୂର୍ତ୍ତ
ଥଣ୍ଡା ଥଣ୍ଡା ପବନର ମାଦକତା
ଛୁଇଁ ପାରୁନି ଦେହକୁ,ମନକୁ ଓ ପ୍ରାଣକୁ
ଅଟକି ଯାଉଛି ଦୂର ଶାଳବଣେ ।
ଯମୁନାର ନୀଳ ନୀଳ ଜଳରାଶି
ସ୍ଥିର ଓ ନିଶ୍ଚଳ, ଗତିହୀନ , ପ୍ରାଣହୀନ
ବଦଳିଯାଉଛି ସମ୍ପର୍କର ଋତୁ
ବଢିଯାଏ ବ୍ୟବଧାନ ତମ ଓ ମୋ ମଧ୍ୟେ
ଯୋଜନ ଯୋଜନ
ବଂଶୀର ସ୍ବର ଅସ୍ପଷ୍ଟ ଶୁଭୁଛି ଯାହା
ନିର୍ଜନ ନିକୁଂଜେ ।।
ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ, ବଡବିଲ ।