ପ୍ରହେଳି ଏ ଦର୍ପଣ
ପ୍ରହେଳି ଏ ଦର୍ପଣ
ଖୁବ୍ ଝଳେଇଲି ନିଜକୁ....
ସମ୍ପର୍କରେ, ପରିଚୟରେ,
ଫେସବୁକର ବନ୍ଧୁ ସଂଖ୍ୟାରେ
ଶବ୍ଦଙ୍କ ଅହମିକାରେ
ଉଡାଣର ସ୍ୱପ୍ନରେ,
ପ୍ରାପ୍ତିର ଆକାଂକ୍ଷାରେ !
ଦର୍ପଣର ଆଖିରେ ଆଖି ମିଶିଗଲା ଯେବେ
ଗୋଟେ ଜୋଡି ନିଃଷ୍ପ୍ରଭ ଆଖିର ପ୍ରଶ୍ନ....
ପାଇଛୁ କ'ଣ ତୋ' ସତ ଠିକଣା ?
ନଇଁ ପଡ଼ିଥିବା ଆଖି ପତା କଣରେ
ବୟସର ଲୋଚା କୋଚା ଗାର,
କିଛି ଅନୁଭବର ଛିଟା ,
କିଛି ସମୟର ଛାଟ ;
ଲୁଚି ପାରିଛି କୋଉଠି ଆବିଳତାର ଛାପ ?
ଦର୍ପଣ ମୁହଁରେ ବି ଦିଶେ ସମୟର ଏ
କଳା ଧଳା ଦାଗ !
ହୃଦୟ ଭାଙ୍ଗିଲେ ଚକ୍ଷୁନତ କରେ ଦର୍ପଣ,
ଖୁସିର ତରଙ୍ଗରେ
ଖିଲି ଖିଲି ହସେ ଦର୍ପଣ ;
ଶୃଙ୍ଗାର ରସରେ ଅଭିମାନୀ ଏ ଦର୍ପଣ
ଆକ୍ରୋଶର ଅନଳରେ... ଧୁଆଁ ଧୂଆଁ ଦର୍ପଣ !
ସତରେ କି ସତ କହେ ଦର୍ପଣ ?
ନିଷ୍ପ୍ରଭ ଆଲୁଅରେ ଚିକ୍ ମିକ୍ ସତ୍ତ୍ଵ,
ଶତ ଚେଷ୍ଟାରେ ବି ହାତକୁ ଛୁଏଁନି ହାତ,
ଏପଟେ ବାମ ହେଲେ
ସେପଟେ ଡାହାଣ ;
ଠୋ ଠୋ ହସୁଥାଏ
ଦର୍ପଣରେ ଓଲଟା ପ୍ରତିବିମ୍ବ !
ତଥାପି ଦ୍ୱାହି ଦିଏ ଏ ଅମାନିଆ ମନ
ଅର୍ନ୍ତମନର ସ୍ପଟିକ...
ଆତ୍ମାର ଅନ୍ତଃସ୍ବର.....
ସତରେ ପ୍ରହେଳି ଏ ମନର ଦର୍ପଣ !
--- ରଞ୍ଜିତା ମିଶ୍ର ।
