ମା'
ମା'
ଫର୍ଦ୍ଦ ଫର୍ଦ୍ଦ ଶବ୍ଦ ଝରିଯାଏ ଆଜି
ବଖାଣିବାକୁ ମା'ର ମହକ !
ସତରେ କି ବୁଝିଛି କିଏ
ବିବଶ କେତେ ଆଜି ମମତାର ଡାକ ?
ସ୍ଵପ୍ନଟିଏ ଗଢୁଥାଏ ନଅ ମାସ ଦଶ ଦିନ
କର ଯୋଡି ଠାକୁରଙ୍କୁ ଅଳି କରୁଥାଏ
ନ'ଲାଗୁ ଧୂଳି ଦେହେ,
ଧନ ମୋର ଆୟୁଷ୍ମାନ ହେଉ
ଧନ, ଧାନ୍ୟ , ପରିବାର ସୁଖରେ
ଜୀବନ ତା' ପରିପୂର୍ଣ୍ଣ ହେଉ !
କେତେ ଶବ୍ଦ ଦେଇ କଳିନେବ
ଗଭୀରତା ସେ ଅଭୟ ମାତୃତ୍ଵର ?
ଯେବେ ଜୀବନଟେ ଲିଭିଯାଏ
ତା' ଅସହାୟ ଗର୍ଭରେ
କେବେ ନିୟତିର ନିଷ୍ଠୁରତା ତ କେବେ
ସମାଜର ଅନ୍ଧତ୍ୱରେ.....
ନିଃଶବ୍ଦରେ ଗୁମୁରେ ତା ଆତ୍ମା !
ଷଠିଘର କାନ୍ଥ ଯେବେ ଶୂନ୍ୟତାକୁ ଆଉଁଷେ
ଏନ୍ତୁଡ଼ିଶାଳର ନିଆଁ କଇଁ କଇଁ କାନ୍ଦେ,
କୋଉ ଶବ୍ଦ ଆଣି ପୋଛିଦେବ
ତା'ର ଅନ୍ତରର କୋହ !
ସାଉଁଟି ରଖିଛ ଶବ୍ଦ କେତେ ଆଙ୍କିବାକୁ
ତା'ର ପଣତର ଅଭଙ୍ଗ ଛାଇ ?
ତା' ସ୍ନେହର ରଙ୍ଗରେ ଭିଜୁଥାଏ ମାଟି ଓ ଆକାଶ
ବ୍ୟାପିଥାଏ ଭୂମିରୁ ଭୁମାଯାଏ
ସେ ସ୍ନେହବୋଳା ସ୍ପର୍ଶ ,
ନିଜ ସୁଖ ତେଜିଦେଇ ଜିଉଁଥାଏ
ଠିଆ ହୁଏ ସାଥେ ଆପଦେ, ବିପଦେ
ତିଳ ତିଳ ମରୁଥାଏ ଅବହେଳାର ଯନ୍ତ୍ରଣାରେ
କିନ୍ତୁ, ହାତ ତାର ଉଠୁଥାଏ
ଆଶୀର୍ବାଦ ମୁଦ୍ରାରେ !
ମା' ପାଇଁ ଗଢ଼ନି ଶବ୍ଦର କୋଣାର୍କ
ପାରୁଛ ତ ପାଦ ଧୂଳି ମସ୍ତକେ ଲଗାଅ
ସ୍ୱାର୍ଥ ଓ ଅହଂକାରର ପରଳ ହଟାଇ ଦେଖ
ମା' ଯେ ମମତାମୟୀ
ଚଳନ୍ତି ଈଶ୍ୱର !
ରଞ୍ଜିତା ମିଶ୍ର ।