STORYMIRROR

Kabiratna Nutan Kumar Behera

Inspirational

4  

Kabiratna Nutan Kumar Behera

Inspirational

ଭକ୍ତ ପ୍ରହଲାଦ

ଭକ୍ତ ପ୍ରହଲାଦ

1 min
263

ପ୍ରଭୁ ନାରାୟଣ   ଭକ୍ତର ଅଧିନ 

   ରଖନ୍ତି ଆଶିଷ ଦେଇ 

ଭବେ କରି ଭକ୍ତି  ଭକ୍ତ ପାଏ ମୁକ୍ତି 

   ଶାନ୍ତ ରହେ ତୁଷ୍ଟ ହୋଇ।


ସୃଷ୍ଟିକର୍ତ୍ତା ସେଇ  ପାଳନ୍ତି ଏ ମହୀ

   ଜଗତ ଜନର ହିତେ 

ଅଦୃଷ୍ଟ ନିୟତି  ଧର୍ମ ନ୍ୟାୟ ନୀତି    

   ଚାଲେ ତାଙ୍କରି ଇଙ୍ଗିତେ।  


ସତ୍ୟ ଯୁଗେ ଦୈତ୍ୟ ରଖି ଆଧିପତ୍ୟ  

    ହିରଣ୍ୟକଶିପୁ ଦୁଷ୍ଟ  

ଅନ୍ୟାୟ ଅଧର୍ମେ  ରହି ପାପ କର୍ମେ

    କରୁଥିଲା ସୃଷ୍ଟି ନଷ୍ଟ।


ତାର ଶିଶୁ ପୁତ୍ର  ନିଷ୍ପାପ ପବିତ୍ର

    ବିଷ୍ଣୁ ଭକ୍ତ ପ୍ରହଲାଦ 

ଜପି ପ୍ରଭୁ ନାମ  ବିଶ୍ଵାସେ ଅସୀମ

   ପାଉଥିଲା ସେ ଆନନ୍ଦ।


ହିରଣ୍ୟକଶିପୁ  ବିଷ୍ଣୁଙ୍କୁ ତା' ରିପୁ

   ଭାବି କରୁଥିଲା ନିନ୍ଦା 

ପୁତ୍ରକୁ ବିରୋଧ  କଲା ସେ ବିବିଧ

    ନ ଜପିବ ବିଷ୍ଣୁ କଦା।


ରାକ୍ଷସ ଦାୟାଦ  ହୋଇ ପ୍ରହଲାଦ  

   ଜପିବାରୁ ବିଷ୍ଣୁ ନାମ 

ପିତା ଯେ ହିରଣ୍ୟ  କରି ତାଙ୍କୁ ଘୃଣ୍ୟ 

   ଶାସନ କଲା ନିର୍ମମ।


ଖଣ୍ଡାରେ କାଟିଲା  ପାହାଡୁ ଫିଙ୍ଗିଲା

  ମଡ଼ାଇଲା ମତ୍ତ ଗଜେ 

ଜଳେ ବୁଡ଼ାଇଲା  ଅଗ୍ନିରେ ଜାଲିଲା   

   ମାରିବ ବୋଲି ସହଜେ।


ଭକ୍ତ ପ୍ରହଲାଦ   ରହି ନିରାପଦ

   ଜପୁଥାନ୍ତି ନାରାୟଣ 

ଯେତେ ସବୁ କ୍ଳେଶ  ଘୁଞ୍ଚି ହୁଏ ନାଶ

   ପ୍ରଭୁ ରଖନ୍ତି ତା' ପ୍ରାଣ।


ପଚାରିଲା ଶେଷେ  ହିରଣ୍ୟ ବିବଶେ  

   ଦେଖା ତୋର ପ୍ରଭୁ କାହିଁ ?

ଯେତେ ଯାହା କଲେ ରହୁଅଛୁ ଭଲେ

   କୃପା କରେ ତୋର ପାଇଁ।


ପ୍ରଦଲାଦ ନମ୍ରେ  କହିଲେ ବିନମ୍ରେ

   ପ୍ରଭୁ ସର୍ବ ବିଦ୍ୟମାନ 

ଡାକିଲେ ଶୁଣନ୍ତି  ସୁରକ୍ଷା ଦିଅନ୍ତି

   ସେ ତ ଭକ୍ତର ଜୀବନ।


ହିରଣ୍ୟ ଗର୍ବରେ  କହିଲା ଦମ୍ଭରେ

   ପ୍ରଭୁ କି ଅଛି ଖମ୍ଵରେ ?

ସେ ତ ସର୍ବମୟ  ମିଳିବେ ନିଶ୍ଚୟ

   ଖୋଜିଲେ ଭକ୍ତି ଚିତ୍ତରେ।


ପ୍ରହଲାଦ କଥା  ଶୁଣି ଟେକି ମଥା

   ହିରଣ୍ୟ କଲା ବିଦ୍ରୁପ 

ହାତେ ଗଦା ଧରି  ଖମ୍ଵକୁ ପ୍ରହାରି

   ଉଚ୍ଚେ କଲା ସେ ପ୍ରଳାପ।


ଖମ୍ଵରୁ ବାହାରି  ନୃସିଂହ ଶ୍ରୀହରି

   ବିଦାରିଲେ ହିରଣ୍ୟକୁ  

ରଖି ଭକ୍ତ ମାନ  ଘୁଞ୍ଚାଇଲେ ବିଘ୍ନ

   ଉଦ୍ଧାରିଲେ ଜଗତକୁ।


ଭକ୍ତ ପ୍ରହଲାଦ  ସ୍ଵର୍ଗେ ହୋଇ ଇନ୍ଦ୍ର

  ଅର୍ଜିଲେ ଯଶ ଅପାର 

ଭକ୍ତ ଭାବେ ଶ୍ରେଷ୍ଠ କର୍ତ୍ତବ୍ୟରେ ନିଷ୍ଠ

   ହୋଇ ରହିଲେ ଅମର।


ପ୍ରଭୁ ଆର୍ତ୍ତତ୍ରାଣ   କରି ପରିତ୍ରାଣ

   ଭକ୍ତକୁ ହୁଅନ୍ତି ସାହା 

କରୁଣା ତାଙ୍କର   ରହିଥାଏ ଚିର

   ଦିଅନ୍ତି ମାଗିଲେ ଯାହା।


ସେ ପ୍ରଭୁଙ୍କ ପାଦେ ପ୍ରଣମେ ଆନନ୍ଦେ

   ରଖି ଭରସା ବିଶ୍ଵାସ 

ରଖନ୍ତୁ ମଙ୍ଗଳେ  ଏ ମହୀ ମଣ୍ଡଳେ

   ସବୁ ମୁଖେ ହେଇ ହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational