ଝରା ସ୍ପନ୍ଦନ !
ଝରା ସ୍ପନ୍ଦନ !
ପବନରେ ଥରି ଥରି,
ଖୁବ୍ ନିଶବ୍ଦରେ ପତ୍ରଝଡା ଋତୁର,
ବେରଙ୍ଗ ପତ୍ରଟିଏ ଝରିପଡ଼େ......
ତା' ଝରିବାରେ ନଥାଏ,
କାଚଟିଏ ଭାଙ୍ଗିବାର,
ଝଣ୍ ଝାଣ୍ କୋଳାହଳ,
ନା ତା' ପଦପାତରେ ଖିନ୍ ଭିନ୍ ହୁଏ
ମାଟିର ତରଳ ହୃଦୟ !
ସବୁଜ ଆବେଗ ତା'ର ଫିକା ଲାଗୁଥାଏ,
କିନ୍ତୁ, ଏବେ ବି ଚିତ୍ରିତ ଥାଏ,
ତା' ଶିରାରେ ଶିରାରେ,
ଜୀବନକୁ ଗୋଟା ପଣେ ଜୀଇଁଥିବାର,
ଅପୂର୍ବ ସ୍ପନ୍ଦନ !
କିଏ ଜାଣେ,
କାହା ମେରୁଦଣ୍ଡକୁ ଆଉଜି,
ଡେମ୍ଫ ତା'ର ଦେଖିଥିବ ସ୍ୱପ୍ନ,
ଆକାଶ ପହଁରିବାର,
କାହା ପ୍ରୀତିର ଫଗୁଣ,
ବୋଳିଥିବ ଗାଢ଼ ରଙ୍ଗ,
ସିକ୍ତ କରି ତା'ର କଅଁଳ ମନ !
କେତେ ବର୍ଷା ଭରିଥିବ ଠୋପାଠୋପା ପୁଲକ,
ତା' ମସୃଣ ଓଠରେ,
କେତେ ଉଷ୍ମତା ଢ଼ାଳିଥିବ କାହା ଆବେଗ,
ତା' ସବୁଜ କବରୀରେ ?
କିଏ ବୁଝେ,କୋଉ ପକ୍ଷୀର ଗୀତ ଭରିଥିବ,
ବୁକୁରେ ତା' ଅକୁହା କମ୍ପନ,
କାହା ମମତାର ନୀଡ଼କୁ ଦେଇଥିବ ଛାଇ,
ତା'ର ସବୁଜ ଶ୍ୟାମଳୀ ଅଙ୍ଗ !
ପତ୍ରଟିଏ ଝରିଯାଏ,
ସ୍ବପ୍ନଟିଏ ସରିଯାଏ, କିନ୍ତୁ
ସରିଯାଏ କ'ଣ ବଞ୍ଚିବାର ଅଝଟପଣ ?
ପୁରୁଣାର ରଙ୍ଗ ମାଖି,
ପଲ୍ଲବିତ ନୂଆ ରୂପ,
ପୁଣି କିଛି ଉଷ୍ମତା, ଭିଜା ଭିଜା ମହକ,
ସମୟକୁ ସମର୍ପଣ ଜୀବନଚକ୍ର....,
ଏଇ ତ ଜୀବନ ତା'ର,
ନିତ୍ୟ ଅନିତ୍ୟର !!
************** ----ରଞ୍ଜିତା ମିଶ୍ର ।
