STORYMIRROR

Ranjita Mishr

Others

3  

Ranjita Mishr

Others

ବତୁରା ଶବ୍ଦ !

ବତୁରା ଶବ୍ଦ !

1 min
14.6K



କୋହ ବି ମୋର

ଲୁହ ବି ମୋର

କିନ୍ତୁ ଅଚାନକ ବର୍ଷା ହେଇ ତୁମେ

ଭିଜେଇ ଦେବ ମୋ ଶବ୍ଦଙ୍କ ଅସ୍ତିତ୍ବ ...

ଇଏ କଣ ଗୋଟେ ହିସାବ !


ବର୍ଷା ମୋତେ ଖୁବ୍ ଛୁଏଁ ଜାଣିଛ

ଆକାଶ ମେଘେଇବା,

ବୁନ୍ଦା ବୁନ୍ଦା ଆବେଗ ମୋତି ହେଇ ଝରି ପଡିବା

ମାଟି ବତୁରେଇଯିବା ଆଉ

ମହ ମହ ବାସ୍ନାରେ ନୂଆ ସ୍ବପ୍ନ ଅଙ୍କୁରିବା

ସବୁ କିଛି !

ସିଞ୍ଚିହେଇ ଘାସ, ପତ୍ର, ଫୁଲରୁ

ଉଦାସୀନତାର ବହଳେ ଧୂଳି ଧୋଇଗଲେ

ପୁଣି ଅନ୍ୟମନସ୍କ ହୁଏ ମନ

ସାଧା କାଗଜରେ ପୁଣି ହୁଏ

ଶବ୍ଦଙ୍କ ଉଷ୍ମ ଆଲୋଡନ !!


ଶବ୍ଦଙ୍କୁ ଖୁବ୍ ଭଲ ଲାଗେ ଭିଜିବାକୁ !

କେବେ ହଜେଇବାର ଲୁହରେ

କେବେ ହଜି ଯିବାର ମୋହରେ

କେବେ ବର୍ଷାର ସମ୍ମୋହନି ରାଗିଣୀରେ


କେବେ,

ବେଳାଭୂମିରେ ଅଙ୍କା ହେଇଥିବା

ଆନମନା ଭାବନାଙ୍କୁ

ଖୁବ୍ ନିଜର ଭାବି ଟାଣି ନେଉଥିବା,

ସମୁଦ୍ରର ଢ଼େଉରେ....!


ଭିଜୁଥାଏ ଶବ୍ଦ ବୋଲି

ମେଘଧୁଆ ଆକାଶରେ ବିଛେଇ ପଡ଼େ

ଇନ୍ଦ୍ରଧନୁର ସାତରଙ୍ଗ !

ସେଇଥିପାଇଁ ତ ଖୋଲା ଝର୍କାରୁ

ଶ୍ରାବଣର ଶେଷ ଛିଟାକୁ

ଆଞ୍ଜୁଳେଇ ନିଏ ଏ ଦେହ ମନ, ଆଉ

ଆଖିରୁ ଆକାଶ ଯାଏ ଗୋଟୋଉଥାଏ

ମେଞ୍ଚା ମେଞ୍ଚା ଶବ୍ଦର

ରଙ୍ଗବିରଙ୍ଗି କଳିକା !


ରଞ୍ଜିତା ମିଶ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍