ମୁଁ ବି ପୀଡ଼ିତା
ମୁଁ ବି ପୀଡ଼ିତା
କାଳର କୁହୁଡ଼ି ହଟେଇ ଦେଖ
କି ଇତିହାସର ଧ୍ୱଂସାବଶେଷ
ପୁରାଣ ଓ କିମ୍ବଦନ୍ତୀର ପୃଷ୍ଠାରେ,
ଲିପିବଦ୍ଧ ଅନେକ ଅସ୍ପଷ୍ଟ ଅନୂଢ଼ା ସ୍ୱର...
ଏବେବି ଅପମାନର ବହ୍ନିରୁ
ରହି ରହି କୁହୁଳି ଉଠୁଛି
ସେ ଶୋଷିତ ଆତ୍ମାର ଉତକ୍ଷିପ୍ତ ଡାକ !
ଶ୍ରାପିତ ଅହଲ୍ୟା ମାଗେ ନ୍ୟାୟ...
କାମୁକ ଇନ୍ଦ୍ରର ଛଳନାରେ ସମ୍ଭୋଗ
ସେ ନାରୀର ବିଦଗ୍ଧ ଆତ୍ମା
କାଳ କାଳ ପାଇଁ କଳଙ୍କିତ
କି ଉତ୍ତର ଦେବ ଆଗପିଢ଼ିକୁ ?
ଅମାବାସ୍ୟାର ବହଳ ଅନ୍ଧାର
ଚକ୍ରାନ୍ତ ଥିଲା ଲମ୍ପଟ ପୁରୁଷର
ଧର୍ଷିତ ହେଲା ଯେବେ ବିବଶ ମୋହ
ଭର୍ତ୍ସିତା,ତିରସ୍କୃତ ତା'ର ପତ୍ନୀର ଅସ୍ତିତ୍ବ
ଯୁଗ ଯୁଗ ପାଇଁ ପଥରେଇଗଲା
ଏକ ଜୀବନ୍ତ ନାରୀତ୍ବ....
ଅଭିଶପ୍ତ ନାରୀ,
ଅଭିଶପ୍ତ ତା' ସତୀତ୍ଵ !
ନୀରବ ବିଳାପ କରେ
ପାଷାଣି ଅହଲ୍ୟା.....
ମୁଁ ବି ପୀଡ଼ିତା !
