ବିଶ୍ବାସର ଈଶ୍ୱର
ବିଶ୍ବାସର ଈଶ୍ୱର
ଦିନେ ସବୁ ଚରିତ୍ର ଦୁରେଇ ଯିବେ
ଶେଷ ପାହାଚରେ ତୁମେ ଆଉ ମୁଁ
ପୁଣି ମୁହାଁ ମୁହିଁ
ଏକ ଅଲେଖା, ଅକୁହା ବୁଝାମଣାରେ
ପ୍ରଥମ ପାହାଚର ବିଶ୍ୱାସକୁ ନେଇ !
ମୁହଁଖୋଲି କହେନି, ନା କରିଛି ଅଳି
ଦିଅ ଯାହା ପ୍ରାରବ୍ଧ ମୋ'ର ,
ସବୁ ଝଡ଼ ଝଞ୍ଜା ତଳେ ହିଁ ଲୁଚିଥାଅ
ଅର୍ନ୍ତମନର ଆଇନା ହେଇ ,
ବାଟ କଢେଇ ନେବାକୁ ହାତ ତୁମେ ଧର !
ମୁଁ ଶୋଇଯାଏ, ତୁମେ ଚାହିଁଥାଅ ବୋଲି
ପଲକ ପଡେନି ତୁମ ଚକାନୟନରେ
ଆଶ୍ୱାସନାର ନରମ ଚାଦରରେ
ଘଣ୍ଟ ଘୋଡେଇ ରଖ ମୋ' ସୂକ୍ଷ୍ମ ହୃଦୟ
ନିଶ୍ଚିନ୍ତତାର ସ୍ବପ୍ନ ଦିଅ ମୋ ଆଖିରେ !
ମୁଁ ଝୁଣ୍ଟୁଥାଏ ବେଳ ଅବେଳରେ,
ତୁମ ଅଧାଗଢ଼ା ଗୋଡ଼ର ଯନ୍ତ୍ରଣା ନେଇ
ତୁମ ଅଧାଗଢା ହାତ ବଢ଼ିଆସେ
ପଥ ର ପଥରକୁ ଆଡ଼ କରିଦେବାପାଇଁ
ଅପୂର୍ଣ୍ଣତାରେ ବି ମୁଁ ପରିପୂର୍ଣ୍ଣ ଜୀଇଁଯାଏ
ତୁମ ସାଙ୍ଗେ ସମ୍ପର୍କର ଅଭିମାନରେ !
ସବୁ ସମ୍ପର୍କର ଉର୍ଦ୍ଧରେ ନୁହଁ ,
ତୁମଠି ହିଁ ଗଢ଼ିଛି ଭିତ୍ତିଭୂମି ସମ୍ପର୍କର
ତୁମ ଆଗେ କାନ୍ଦିପାରେ, ରାଗିପାରେ ତୁମକୁ
ନିବିଡ଼ତାର ଡୋରରେ ବାନ୍ଧିଛି ତୁମକୁ
ହେ ମୋ ବିଶ୍ବାସର ଈଶ୍ବର !
--- ରଞ୍ଜିତା ମିଶ୍ର
