କଲମ
କଲମ
"କଲମର ତୁଳୀରେ
କଳ୍ପନାର ମନଲୋଭା ସ୍ୟାହି ଭରି
ସମୟର କାନଭାସ୍ ଉପରେ ଆଙ୍କିହେବ
ଖୁବ୍ ସୁନ୍ଦର ପୃଥିବୀଟିଏ... ଶବ୍ଦର !
କୋଉଠି ପାଇବ ଏମିତି ସମ୍ପୂର୍ଣ୍ଣ ଚିତ୍ରଟିଏ .....
ବିନ୍ଦୁ ରେ କି ବଳୟରେ
ଯାତ୍ରାରେ ନା ଲକ୍ଷ୍ୟରେ
ଅନୁରାଗରେ କି ବୈରାଗ୍ୟରେ ?
ସୀମିତ ସ୍ବପ୍ନରୁ ମୋକ୍ଷର ଅସୀମତା ଯାଏଁ
ଜୀବନକୁ ଜୀଇଁବାର କଳା
କଲମଠୁ ହିଁ ଶିଖିବ !
ଏବେ ଏବେ ପାର୍ବଣର ବାସ୍ନା
ଭୋଦୁଅ ଆକାଶରେ
କାଶତଣ୍ଡିର ଲହଲହକା ଚାମର ରାସ୍ତାର ଧାରେ
ଆବାହନର ପହିଲି ନିମନ୍ତ୍ରଣ ପବନରେ
ଅଭିସାରିକା ସବୁଜିମା ଫର୍ଚ୍ଚା ଫର୍ଚ୍ଚା ରଙ୍ଗରେ ...
କୋଉଠି ଆଉ ଖଞ୍ଜିବ କଲମର
ଏଇ ମୋହଗ୍ରସ୍ତ ଶବ୍ଦଙ୍କୁ,
ଆବେଦନରେ କି ସମର୍ପଣରେ ?
ଆତ୍ମାର ନୀରବ କାକଳି ଝରିଆସେ
କଲମ ମୁନର କୋଳାହଳରେ
ଢ଼ଳି ଯାଏ ସୂର୍ଯ୍ୟ, ଛଟପଟ ଅସରା ରାତି
କଲମର ଅଲିଭା ସ୍ୟାହିର ସ୍ୱର
କଡ଼ ଲେଉଟାଏ ରହି ରହି...
ଛନ୍ଦ ଆଉ ତାଳରେ ସଜିଯାଏ ଶବ୍ଦ
"ବାଗେଶ୍ରୀ", "ବିହାଗ"ର ଆଧ୍ୟାତ୍ମତାରେ
କେବେ "ମହ୍ଲାର" ରାଗର ଭିଜାଭିଜା ବାସ୍ନାରେ....
କଲମ ଲେଖେନି କଥା
ଆଙ୍କିଦିଏ ଭାବ ଆଉ ବ୍ୟଥା !
ରଞ୍ଜିତା ମିଶ୍ର ।
