ଅବଶେଷ ସ୍ବପ୍ନ !
ଅବଶେଷ ସ୍ବପ୍ନ !
ଅବଶେଷ ସ୍ବପ୍ନ !
---------------------------
ଭାଜ୍ୟ, ଭାଜକ, ଭାଗଫଳ ପରେ
ସ୍ବପ୍ନ ସବୁ ଏବେ ଥକା ମାରୁଛନ୍ତି
ଅବଶେଷରେ;
ମେଘମନସ୍କ ମନରେ
ତଥାପି ସରୁନି ଚାତକର ଶୋଷ !
ଅନ୍ୟମନସ୍କତାରେ ଅପସରି ଯାଇଛି
ଭାବନାର କେତେଯେ ବତୀଖୁଣ୍ଟ
ଆଖି ଆଢୁଆଳରେ ....!
ଏବେ ବହଳ ଅନ୍ଧାରରେ ଶବ୍ଦଙ୍କ ମିଆଦ
ଅନ୍ତହୀନ ଗର୍ଭଯନ୍ତ୍ରଣାରେ
କଲମର ସ୍ରୋତ !
ସମୟର ବଢୁଥିବା ବୟସ
ଅଧାଲେଖା ସ୍ୱପ୍ନର
ସରି ଆସୁଥିବା ଆୟୁଷ ଭିତରେ,
ସ୍ବପ୍ନ ସବୁ ଖେଳଣା ଏବେ ସମୟ ହାତରେ !
ପ୍ରଶ୍ନ ଆସେ ମନରେ....
ମୁଁ ଧାଏଁ ସ୍ବପ୍ନ ପଛରେ
କିବା ଜୀବନର ଘୋଡା ଦୌଡ଼ରେ
ସ୍ବପ୍ନ ମୋତେ ଦୌଡାଏ
ଧଇଁ ସଇଁ କରି ?
ସମୟ ବି ପ୍ରଜାପତି,
କୋଉଠି ସ୍ଥିର ବସେଯେ
ଗୋଟେ ରଙ୍ଗ ସ୍ୱପ୍ନରେ ?
ନେଇଥିବା ନିଶ୍ବାସଟି ଆଉ ମିଳେନାହିଁ
ମୁହୂର୍ତ୍ତଟିଏ କଡ଼ ଲେଉଟାଏ
ଇତିହାସ ହେଇ !
ବନ୍ଦ୍ ମୁଠିରୁ ନିରନ୍ତର ଖସିଯାଏ
ରେଣୁ ରେଣୁ ସ୍ୱପ୍ନିଳ ସ୍ପନ୍ଦନ,
ଆଉ କେବେ ସ୍ୱପ୍ନର ସିନ୍ଦୁକର ଚାବି ହଜିଯାଏ !
କେବେ କେବେ ଇଛା ହୁଏ
ସ୍ୱପ୍ନର ଚାରି ଦିଗକୁ ସଙ୍କୁଚିତ କରି
ପୁରା ସଂସାରର ଝୋଟି ଆଙ୍କିଦିଅନ୍ତି
ଚିତା, କମ ,କୁଟରେ.......
ମୋ' ହୃଦୟର ଏ ଛୋଟ ଅଗଣାରେ !
ଦିଗନ୍ତକୁ ବିଛେଇ ଦିଅନ୍ତି
ଏଇଠି, ମୋ' ହାତ ପାଆନ୍ତାରେ !!
ତା'ପରେ, ସ୍ବପ୍ନ ଆଉ ମୁଁ
ଏକ ଓ ଏକାକାର
ଭିତରେ .....
ବାହାରେ..... !
************** -- ରଞ୍ଜିତା ମିଶ୍ର ।
