ନଦୀମନସ୍କ !
ନଦୀମନସ୍କ !
ନାରୀ ହେଲି ବୋଲି ଯେ
କଳ କଳ ବୋହିଯିବି
ନଦୀଟିଏ ପରି ,ଏକମୁହାଁ
ସମୁଦ୍ରର ମୋହରେ....ଅବାସ୍ତବ ଲାଗେ !
ହଁ ମାନୁଛି,
ଖୁବ୍ ଉଚ୍ଚାଟ ହେଇଛି ମହୁଲର ବାସ୍ନାରେ
ଅକସ୍ମାତ୍ ଦଗ୍ଧ ହେଇଛି ପଳାଶର
ହୁତ୍ ହୁତ୍ ନିଆଁରେ
ଫଗୁଣର ରଙ୍ଗରେ ବିହ୍ଵଳ ହେଇଛି
ଦେହ, ମନ, ଯୌବନ.....
ଶିହରିଛି ରିମ୍ ଝିମ୍ ବର୍ଷା ଛିଟାରେ !
ପଡିଛି, ଉଠିଛି, ତଥାପି
ଛନ୍ଦର ତାଳେ ତାଳେ ଜୀଇଁଛି ଜୀବନ ;
ବେଝିଜକ୍ ଗାଇଛି ପ୍ରୀତିର ସଙ୍ଗୀତ
ଅର୍ପଣ କରିଛି ଭୂତ, ଭବିଷ୍ୟତ ଓ
ବର୍ତ୍ତମାନର ପ୍ରତିଟି ମୁହୁର୍ତ୍ତ,
ଶୁନ୍ୟତାର ଆକାଶରେ ସଜେଇଛି
ଭରସାର ଚୂନା ଚୂନା ତାରାଫୁଲ
ଅପେକ୍ଷା କରିଛି ବିଶ୍ବାସ , ପ୍ରତିଥର....
ମୋକ୍ଷର ମୋହରେ !
ମୁଁ କିନ୍ତୁ ଅଙ୍ଗୀକାରବଧ ନୁହଁ
ଚିରଦିନ ଛଟ୍ ପଟ୍ ହେବାକୁ
ସେ ନୀଳ ଭଉଁରିର ନୀଳ ସ୍ୱପ୍ନରେ !
ନଦୀମନସ୍କ ହେଇପାରେ...
କିନ୍ତୁ ଚୁକ୍ତିବଦ୍ଧ ନୁହେଁ
ଜଡ଼ତାର ମୁଖା ପିନ୍ଧି ହଜି ଯିବାକୁ
ଅକଳନୀୟ ଅସୀମତାରେ !
ନଦୀମନସ୍କ ହେବା ନୁହଁ ଏକ ବିଫଳ ଅସ୍ମିତା...
ବରଂ ହେଇପାରେ ଏକ ଅଭ୍ୟସ୍ତ ଅଭ୍ୟାସ !
ଏତିକି ବୁଝିଥାଅ,
ଚପଳ ମୋହଗ୍ରସ୍ତ ନଦୀର ଦୁଇ କୂଳ ସିକ୍ତ
ଅନ୍ଧାର ଓ ଆଲୁଅର ଖେଳରେ ....!
ଅସମ୍ଭବ ନୁହଁ,
ନିଜ ଶୋଷକୁ ନିଜେ ପିଇ
ଲୁପ୍ତ ହେଇ ଯାଇପାରେ ମରୁଭୂମିର ତପ୍ତ ବକ୍ଷରେ;
କିବା , ଅଭିଶପ୍ତ ପ୍ରଗଳ୍ଭତା ନେଇ
ଅର୍ନ୍ତସ୍ରୋତା ହେଇପାରେ ସମୟର ଗର୍ଭରେ
ଛାଡିଦେଇ ସ୍ମୃତିର ମହକ ଟିକେ !!
ଲାଗିପାରେ ଅବାନ୍ତର....
କିନ୍ତୁ, ଅଲବ୍ଧ ଅଭିବ୍ୟକ୍ତି ତା'ର
ମୁଗ୍ଧ ହେଇପାରେ ନିଜ ଛନ୍ଦରେ,
ନିଜ ପାଇଁ ନିଜେ ଗୀତ ଗାଉ ଗାଉ
ବେଝିଜକ୍ ଲେଖି ଦେଇପାରେ
ଶାଶ୍ୱତ ରୁବାୟତ୍....
ନୂଆ ଏକ ଅସ୍ତିତ୍ୱର !!!
.....'
ରଞ୍ଜିତା ମିଶ୍ର
