ମୁଠାଏ ସ୍ମୃତି
ମୁଠାଏ ସ୍ମୃତି
ଜୀବନ ନଉକା ଭାସି ଭାସି ଯାଏ
କୂଳରେ ଲାଗିବ କେବେ ?
କେ ପାରିବ କହି ନଦେଖୁଛି କେହି
କହି କି ପାରିବ ଏବେ ?
ଭାସିଲା ସେ କେବେ ସେକଥା ଗୋଟିକ
ସ୍ମୃତିପଟଳରେ ନାହିଁ ।
ଶୈଶବର ସ୍ମୃତି ରହିବା କାହାର
କେବେ ସମ୍ଭବ ନୁହଇ ।
ଅଳ୍ପ ବୟସର ହୋଇଗଲା ପରେ
କିଛି କିଛି ସ୍ମୃତି ତାର ।
ଆସୁଛି ମନରେ ସାଙ୍ଗସାଥୀ ମେଳେ
ଖେଳକୁଦ କରିବାର ।
କିଛି ସେତେବେଳେ ଚିନ୍ତା ତ ନଥିଲା
ଖିଆପିଆ ଖେଳାବୁଲା ।
ପଢା ସମୟରେ ହୁଏ ପାଠପଢା
ଅନ୍ୟ ବେଳରେ ଚଗଲା ।
ପୌଗଣ୍ଡ କିଶୋର ଯୁବ ବୃୃଦ୍ଧାବସ୍ଥା
ସବୁ କିଛି ମନେଅଛି ।
ପର ଉପକାର କରିବା ପାଇଁକି
କେତେ କମର କସିଛି ।
କହିବା ଉଚିତ ନୁହଇ କଦାପି
କଲି କା'ର ଊପକାର ।
ଚାହେଁନାହିଁ କେବେ କିଏ ସେ କରିବ
ଅବା ପ୍ରତିଉପକାର ।
କର୍ମ କଲାବେଳେ ଯେତେ ଯେତେ
ସବୁ ଭଲ ଭଲ କାମ ହେଲା।
ପ୍ରଭୁ କରାଇଲେ ନିମିତ୍ତ ହେଲି ମୁଁ
ସେ ସ୍ମୃତି ମନେ ରହିଲା ।
ତହିଁଁରୁ ମୁଠାଏ ସ୍ମୃତି ମନେ ପଡି
ବହୁତ ଆନନ୍ଦ ଦିଏ ।
କେବେ କେବେ ଦେଖେ ସେ ସୁନ୍ଦର ସ୍ମୃତି
ମନେ ମୋର ଭାସୁଥାଏ ।