କାକର କାହାଣୀ
କାକର କାହାଣୀ
ଶରତ ଋତୁର ହେଲା ଆଗମନ
କାର୍ତ୍ତିକ ଓ ମାର୍ଗଶୀର ।
ଏଇ ଦୁଇ ମାସ ରାତି ଆସିଗଲେ
ରାତିରେ ପଡେ ଶିଶିର ।୧।
ବିନ୍ଦୁ ବିନ୍ଦୁ ହୋଇ ଶିଶିର ପଡଇ
ଯାହାର ନାମ କାକର ।
ରାତିରେ ପଡେ ସେ ଦେଖାଯାଉଥାଏ
ସତେ ମୁକୁତାର ହାର ।୨।
ସବୁଜ ଘାସରେ ଗଛ ଲତିକାରେ
କାକର ବିନ୍ଦୁ ଶୋଭଇ ।
ସକାଳ ସୁରୁଜ ଦେଖି ସାରିଲେ ସେ
ମନକୁ ଯାଏ ଉଭେଇ ।୩।
କେଡେ କମନୀୟ ରୂପଟି ତାହାର
ଯେତେ ଛୋଟ ହେଉ ସିଏ ।
ପୁଲକିତ କରେ ମନକୁ ଆମର
ଦେଖି ମନ ଖୁସି ହୁଏ ।୪।
କାକର କହୁଛି ଜୀବନ ମୋହର
କେଡେ କ୍ଷଣସ୍ଥାୟୀ ଦେଖ ।
ରାତିରେ ଜନମି ସକାଳେ ମରୁଛି
ଦେଉଛି କେତେ ମୁଁ ସୁଖ ।୫।
ମୋତେ ଦେଖି ଟିକେ ଆନନ୍ଦ ହୋଇଲେ
କେତେ ସୁଖ ମୁଁ ପାଉଛି ।
କଥାରେ କେବେ ତା କହିହେବନାହିଁ
ଅନୁଭବୀ ତା ଜାଣିଛି ।୬।
ଜୀବନର ସବୁ ମହତ୍ତ୍ବ ରହିଛି
ଆନକୁ ଖୁସି ଦେବାରେ ।
ଜୀବନ ନାଟକ ଯେତେ ଛୋଟ ହେଉ
ମନ ମୋ ଦୁଃଖ ନକରେ ।୭।
କାଳର ଗତିରେ ଜୀବନ ନାଟକ
ନିଶ୍ଚେ ହେବ ସମାପନ ।
ଅନ୍ୟକୁ ଆନନ୍ଦ ଦେଲେ ସିନା ଧନ୍ୟ
ହୋଇବ ଆମ ଜୀବନ ।୮।
କାକର ବିନ୍ଦୁ ମୁଁ ଏତିକି କହୁଛି
ଏଇ ଅଟେ ମୋର ଶିକ୍ଷା ।
ଧନ୍ୟ ହେବ ଜନ୍ମ ତୁମର ସର୍ବଥା
ଯଦି ନେବ ଏହି ଦୀକ୍ଷା ।୯।