ତୁମକୁ ଖୋଜୁଛି ଭିଡ଼ ଭିତରେ
ତୁମକୁ ଖୋଜୁଛି ଭିଡ଼ ଭିତରେ
ସ୍ବାର୍ଥପରତାର ଗହଗହ ନାଦ
କରେ ଅନୁଭବ ସଦା ଅନ୍ତରେ
କାହିଁ ହଜିଗଲ ହେ ନିଃସ୍ବାର୍ଥ ଭାବ
ତୁମକୁ ଖୋଜୁଛି ଭିଡ଼ ଭିତରେ ।
ତୁମରି ପରଶ ଆହା କି ମଧୁର
ଜଗାଇ ହୃଦୟେ ସଦଭାବନା
ସଜାଇ ପାରଇ ସତେ ଦେବଦୂତ
କରି ଉର୍ଦ୍ଧ୍ବଗାମୀ ଚିନ୍ତା ଚେତନା ।
ଦୁଃଖୀଜନ ବନ୍ଧୁ ପରା ଗୋପବନ୍ଧୁ
ଦିନେ ନିଃସ୍ବାର୍ଥର ନାବକୁ ବାହି
ଚିରଦିନ ପାଇଁ ରହିଯାଇଛନ୍ତି
ଓଡ଼ିଆ ପ୍ରାଣରେ ଅମର ହୋଇ ।
ଆମଠାରୁ କିଆଁ ଦୂରେଇ ଯାଉଛି
ସେ ଭାବର ମଧୁ ବୋଳା ମହକ
ମଣିଷପଣିଆ ନଥିଲେ ପାଖରେ
ବୃଥା ହୁଏନି କି ଜୀବନଯାକ ।
ଫେରିଆସି ଯେବେ ରହଣି କରନ୍ତ
ଚେତନ ପ୍ରାଣରେ ବାନ୍ଧି କି ବସା
ତୁମରି ଭିଡ଼ରେ ହସନ୍ତା ଦୁନିଆ
ନିର୍ବାପିତ ହୋନ୍ତା ସ୍ବାର୍ଥର ତୃଷା ।