ମୋ ସରଗ ପୁର
ମୋ ସରଗ ପୁର
ଘର ବଖରାଟେ ଅଛି ମୋ ପାଖରେ
ଆଖିରେ ଆଖିଏ ସପନ
ପୁରା ହେବାପାଇଁ ଅନେକ ଆଶା ମୋ
ମନରେ ରଖିଛି ଗୋପନ ।
ଚାଳ ଛପରକୁ ପ୍ରେମରେ ବାନ୍ଧିଛି
ପାଇଗଲି ବୋଲି ମାଗଣା
ଜୀବନର ଅର୍ଥ ଖୋଜିବାର ଖାଲି
ଘଡ଼ିକୁ ଵଦଳେ ଦୁନିଆ ।
କେବେ କହିବନି କାହାରି ଆଗରେ
କିସ ଖୋଜୁଥିଲି ଜୀବନେ
କି ଅବା ପାଇଲି ହିସାବ କରିବି
ନିରୋଳାରେ ବସି ଗୋପନେ ।
ନିଆଁ ଜାଳି ମୁଁ ଶୀତ କଟେଇବି
ଅଣ୍ଟୁନାହିଁ ମୋର ପଣତ
ଦି ମୁଠା ଖାଇ ମୁଁ ନିଦରେ ଶୋଇବି
ଶୁଖି ଗଲେ ଯାଉ ରକତ ।
କାକରରେ ଥିରି ଯାଏ ଦେହ ମୋର
ଓଠ ଥରେ କଟ କଟ
ପଶମ ପୋଷାକ କୋଉଠୁ ଆଣିବି
ଖୋଲା ଅଛି ମୋର ପକେଟ ।
ବର୍ଷା ଦିନେ ପାଣି ଟପ୍ ଟାପ ଝରେ
ଖରାରେ ଜଳେ ମୋ ଦେହ
ଏଇ ଚାଳ ଘର ମୋ ସରଗ ପୁର
ନିନ୍ଦା କାହାକୁ କହିବି କୁହ ।
