ମୁକ୍ତିପଥେ ତୁମେ ମାଆ
ମୁକ୍ତିପଥେ ତୁମେ ମାଆ
ମରୁ ସମ ମୋର ନୀରସ ଜୀବନେ
ନିତି କଣ୍ଟାଫୁଲ ଫୁଟେ,
ତୁମ ମନ୍ଦିରର ତୁମରି ସତ୍ତାକୁ
ଆଙ୍କେ ଚିତ୍ତ ଚିତ୍ରପଟେ ।
ମୋ, ଆଖିର ଲୁହ ପୋଛିବା ପାଇଁକି
କାହା ପାଶେ ନାହିଁ ଆଶ ,
କେବଳ ତୁମକୁ ଅନୁଭବ କରେ
ମନରେ ରଖି ବିଶ୍ୱାସ ।
କଡ଼ ଲେଉଟାଏ କେତେ ଯେ ରଜନୀ
ଅଧୁରା ସ୍ବପ୍ନକୁ ନେଇ,
ଅପେକ୍ଷା କରିଛି ବର୍ଷ ପରେ ବର୍ଷ
ମଉନ ପାଷାଣୀ ହୋଇ ।
ଆଶା ଆକାଂକ୍ଷାର ଜହ୍ନ ଭରା ରାତି
ଅବତୀର୍ଣ୍ଣ ହେବାପରେ ,
ଲକ୍ଷ୍ୟଚ୍ୟୁଚ କରେ ବିଚ୍ଛେଦର ତୃଷ୍ଣା
ନବ ସୂର୍ଯ୍ୟ ଉଦୟରେ।
କେତେ ଦିନ ଆଉ ରହିବି ଏମିତି
ଶୋକାର୍ତ୍ତ ହୃଦୟ ନେଇ ,
ସାରା ଜଗତର ତୁମେ ପରା ମାଆ
ମୋ' ପାଇଁ ପଥର କାଇଁ।?
ତୁମରି ସତ୍ତାକୁ ଦେହେ ଜଡ଼ିବାକୁ
ତୁମ ନାମ ସଦା ନେଇ ,
ବାରମ୍ଵାର କିନ୍ତୁ ନିରାଶା ହୁଅଇ
ମାୟା ଆଳୟରେ ରହି ।
ଇଚ୍ଛା ହୁଏ ତୁମେ ନିଃଶବ୍ଦ ରାତ୍ରିରେ
ଥରଟିଏ ମାତ୍ର ଆସ ,
ମୋ , ପାଖରେ ବସି ସ୍ନେହରେ ଆଉଁସି
ମତେ ଚାହିଁ ଟିକେ ହସ।
ଶୁଭ ପ୍ରଭାତର ସ୍ବାଗତ ଆଗରୁ
ଫେରିଯିବା ଆଗୁ ତୁମେ ,
ଆତ୍ମା ପକ୍ଷୀ ମୋର ସଙ୍ଗେ ନେଇଯିବ
ଜଳୁଥିବି ମୁଁ , ଶ୍ମଶାନେ ।