ଭୁଲିବାନି କେବେ ପିତାମାତାଙ୍କୁ
ଭୁଲିବାନି କେବେ ପିତାମାତାଙ୍କୁ
ଚଳନ୍ତି ଦେବତା ପରା ପିତାମାତା
ଆମ ଗୃହ-ମନ୍ଦିରରେ
ଆଶୀର୍ବାଦ ହାତ ରହିଥାଏ ସଦା
ଆମରି ମଥା ଉପରେ ।
ମାଆ ଆମ ପାଇଁ ହୋଇଲେ ବସୁଧା
ପିତା ଆକାଶଠୁ ବଳି
ସେନେହ ଆଦରେ ଅତି ଯତନରେ
ଥାଆନ୍ତି ଆମକୁ ପାଳି ।
ଅଳି ଅଝଟକୁ ପୂରା କରିବାକୁ
ନିତି କର୍ମ ସାଥେ ଯୁଝି
ଭୁଲି ଯାଇଥାନ୍ତି ନିଜକୁ ସେ ଦୁହେଁ
କର୍ତ୍ତବ୍ୟ ପଥକୁ ହେଜି ।
ସୁଶିକ୍ଷା ସଂସ୍କାର ଭରିଣ ଅନ୍ତର
ଠିଆ ଦୁନିଆଁ ଦାଣ୍ଡରେ
ବିଶାଳ ହୃଦୟ ତୋଳେ ଜୟ ଜୟ
ନିଇତି ଆମ ସୁଖରେ ।
ଶୁଝି ନପାରଇ ଜୀବନରେ କେହି
କେବେ ପିତୃମାତୃ ଋଣ
ଯେତେ ବି ସେବିଲେ ଊଣା ପଡ଼ିଥାଏ
ଅତୁଳନୀୟ ସେ ଦାନ ।
ନିଜ ଜୀବନରେ ଯେବେ ପ୍ରତ୍ୟକ୍ଷରେ
ହୁଅନ୍ତି ତାଙ୍କ ସମାନ
ଅନୁଭବ କହେ କେତେ କଷ୍ଟ ସତେ
ପିଲା ଲାଳନପାଳନ ।
ଅନୁଭବୀଟିଏ ହୋଇ ବି କେତେକ
ଅଧମ ନିତିକୁ ବରି
ମଣିଥାନ୍ତି ହେୟ ନିଜ ପିତାମାତା
ନିଗାଡ଼ି ଯାତନା ବାରି ।
ହୃଦୟ ତାଙ୍କର ବିଳପେ ନାହିଁ କି
ନିଜ ଅନୁଭବ ବେଳେ
ତଥାପି କିମ୍ପାଇ ନିର୍ଦ୍ଦୟ ହୁଅନ୍ତି
ନିଜ ପିତାମାତା ସ୍ଥଳେ ?
ନହୋଇ କୁପୁତ୍ର ହୋଇଲେ ସୁପୁତ୍ର
କୋଳେ ଜନମ ସାର୍ଥକ
ନେବାରେ ଶପଥ ହେବା ପାଇଁ ଜଣେ
ରାମଚନ୍ଦ୍ର ପୂଣ୍ୟଶ୍ଳୋକ ।
ପାଳି ପୁତ୍ର ଧର୍ମ କରୁଥିବା କର୍ମ
ନଭୁଲି ପିତାମାତାଙ୍କୁ
ଅବଶୋଷ କେବେ କାହାର ମନରେ
ରହିବ ନାହିଁ ଆଗକୁ ।